*ଉତ୍କଳ ଦିବସ* : ବିଶ୍ୱ ବିଜୟୀ ଦୁର୍ଦ୍ଦଶ ସୈନ୍ୟ ବଳ ଉପରେ ଦୃଢ଼ ମନୋବଳ ର ବିସ୍ମୟକର ବିଜୟ :
- - - - - - - - - - - - - - - - - - - - - - - - - - - - - - - - - - - - - - - - - - -
ବନ୍ଦେ ଉତ୍କଳ ଜନନୀ
ରକ୍ତ ରଞ୍ଜିତ ଇତିହାସ ର ସୁପ୍ତ ଶିଥିଳ ପୃଷ୍ଠା ଗୁଡ଼ିକ ପୁଣି ଥରେ ଶିହରଣ ରେ କମ୍ପିତ ହୋଇ ଉଠେ ପ୍ରତିବର୍ଷ ଏପ୍ରିଲ ମାସ ପ୍ରାରମ୍ଭ ରେ ଘଟିଯାଇଥିବା ସେହି ଲୋମହର୍ଷକ ଐତିହାସିକ ବିଜୟ ଏବଂ ଭାରତ ର ସର୍ବ ପ୍ରଥମ ସ୍ୱାଧୀନ ଏବଂ ଶକ୍ତିଶାଳୀ ନୂତନ ପ୍ରଦେଶ ଗଠନ ର ଘଟଣା ଚକ୍ର କୁ ସ୍ମରଣ କରି
ଉତ୍କଳ ର ଶେଷ ରାଜା ଶ୍ରୀ ମୁକୁନ୍ଦ ଦେବ ନିଜ ସେନାପତି ଙ୍କ ବିଶ୍ୱାସ ଘାତକତା ହେତୁ ମୋଗଲ ସମ୍ରାଟ ଙ୍କ ହାତେ ପରାସ୍ତ ହେବା ସହ ୧୫୬୮ ମସିହା ରେ ଭାରତ ବର୍ଷ ର ଶେଷ ସ୍ୱାଧୀନ ପ୍ରଦେଶ ର ପତନ ଘଟିଥିଲା ଏବଂ ଆମ ମାତୃଭୂମି ଓଡ଼ିଶା ମୋଗଲ ସରକାର ଅଧିନ ରେ ପାଞ୍ଚଟି ପ୍ରାନ୍ତ ରେ ବିଭକ୍ତ ହୋଇଗଲା ( ଜଳେଶ୍ବର, କଟକ, ଭଦ୍ରକ, କଳିଙ୍ଗ ଦଣ୍ଡପାଟ ଏବଂ ରାଜ ମହେନ୍ଦ୍ରୀ )
୧୭୬୫ ମସିହା ରେ ବ୍ରିଟିଶ ଆକ୍ରମଣ ସହ ମୂଳ ଓଡ଼ିଶା ଦୁଇ ଅଂଶ ରେ ବିଭାଜିତ ହୋଇ ବେଙ୍ଗଲ ପ୍ରେସିଡେନ୍ସି ଏବଂ ମାଡ୍ରାସ ପ୍ରେସିଡେନ୍ସି ଅଧିନ ରେ ଶାସିତ ହେଲା
*ସ୍ୱାଧୀନ ଓଡ଼ିଶା ବିପ୍ଳବ ର ଶୁଭାରମ୍ଭ* :
୧୮୯୫ ମସିହା ରେ ଓଡ଼ିଆ ଭାଷା କୁ ଏକ ସ୍ୱତନ୍ତ୍ର ଭାଷା ର ମାନ୍ୟତା ନ ମିଳିବା ରୁ ଓଡ଼ିଆ ଭାଷୀ ଜନ ଅସନ୍ତୋଷ ଏକ ଭୟାବହ ବିପ୍ଳବ ର ରୂପ ନେଇଥିଲା
*ଭାରତ ର ସର୍ବ ପ୍ରଥମ ସ୍ୱାଧୀନ ପ୍ରଦେଶ* ର ଜନ୍ମ କଥା :
ଅସନ୍ତୁଷ୍ଟ ବିପ୍ଲବୀ ମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ବ୍ରିଟିଶ ସରକାର ଙ୍କ ବିଶିଷ୍ଠ ବ୍ୟକ୍ତି ସାର ଏଚ ଜି କୋକେ ଏକ ସ୍ୱତନ୍ତ୍ର ପ୍ରଦେଶ ଗଠନ ର ପ୍ରସ୍ତାବ ଦେଲେ, ସେଥିରେ ମିଳନ ହେବାକୁ ଥିଲା
୧. ମଧ୍ୟ ପ୍ରାନ୍ତ ର ଛତିଶଗଡ଼ ଡିଭିଜନ ରୁ ସମ୍ବଲପୁର ଜିଲ୍ଲା
୨. ପାଟନା ର କିଛି ଅଂଶ, ସୋନପୁର, ରାଇରାକୋଲ, ବାମରା, କଳାହାଣ୍ଡି
୩. ଗଂଜାମ, ଘିମ୍ସିର, ଛୋଟ ନାଗପୁର
୪. ମିଦନାପୁର, ବିଶାଖାପାଟଣା
୧୯୦୩ ମସିହା ରେ କେତେଜଣ ଉତ୍ସାହି ବିପ୍ଲବୀ ସ୍ବେଚ୍ଛାସେବୀ ମାନେ ସଂଗଠିତ ହେଲେ ଚିଲିକା ମୁହାଣ ର ରମ୍ଭା ନାମକ ସ୍ଥାନ ରେ ଏବଂ ସେଇଠାରୁ ଆରମ୍ଭ ହେଲା ଏକ ସଂଘବଦ୍ଧ ଏବଂ ସଙ୍ଗଠିତ ଆନ୍ଦୋଳନ.
ଆଗେଇ ଆସିଲେ ବେଙ୍ଗଲ ପ୍ରେସିଡେନ୍ସି ଏବଂ ମାଡ୍ରାସ ପ୍ରେସିଡେନ୍ସି ଅଧିନ ବାସିନ୍ଦା ସହସ୍ର ଓଡ଼ିଆ ଭାଷୀ ବୀର ପୁତ୍ର ମାନେ. ଉନ୍ମୋଚିତ ହେଲା ଉତ୍କଳ ସମ୍ମିଳନୀ ନାମକ ଏକ ସଂସ୍ଥା ର ଭିତ୍ତିଭୂମି ରେ ସ୍ୱତନ୍ତ୍ର ପ୍ରଦେଶ ସ୍ବପ୍ନ ର ପରିକଳ୍ପନା ଉପରେ ଆଧାରିତ ଏକ ବିଶାଳ ଘୁର୍ଣ୍ଣିବାତ୍ୟା
କବି ଶ୍ରୀ ଲକ୍ଷ୍ମୀକାନ୍ତ ମହାପାତ୍ର ଙ୍କ ରଚିତ ଏବଂ କଣ୍ଠଶିଳ୍ପୀ ଶ୍ରୀ ବାଞ୍ଚନିଧି ମହାନ୍ତି ଙ୍କ ସ୍ୱର ରେ ସଜ୍ଜିତ *ବନ୍ଦେ ଉତ୍କଳ ଜନନୀ* ଗୀତ ଟି ସମସ୍ତ ଙ୍କ ମନଛୁଆଁ ହେଲା. ୧୯୧୨ ମସିହା ବାଲେଶ୍ୱର ଉତ୍କଳ ସମ୍ମିଳନୀ ସମାବେଶ ରେ ଶ୍ରୀ ଗୋପବନ୍ଧୁ ଏବଂ ମଧୁବାବୁ ଙ୍କ ଉପସ୍ଥିତି ରେ ସର୍ବ ସମ୍ମତି ରେ ଏହି ଗୀତ ଟିକୁ ଓଡ଼ିଶା ପ୍ରଦେଶ ର ପ୍ରାଦେଶିକ ଗୀତ ରୂପେ ମାନ୍ୟତା ଦିଆଯାଇ ଗ୍ରହଣ କରାଗଲା
ଅକ୍ଲାନ୍ତ ପ୍ରଚେଷ୍ଟା, ଅହରହ ଉଦ୍ୟମ, ଅଭୂତପୂର୍ବ ଯୋଜନା, ଅତ୍ୟାବଶ୍ୟକ କୌଶଳ ଏବଂ ସୁସଙ୍ଗଠିତ କାର୍ଯ୍ୟ କ୍ଷମତା ର ବିଚକ୍ଷଣ ପରିବେଷଣ ସ୍ୱରୂପ ୧୯୩୬ ମସିହା ଏପ୍ରିଲ ଏକ ତାରିଖ ରେ ଆମ ଜନ୍ମ ଭୂମି ମାଁ ଉତ୍କଳ ଜନନୀ ଭାରତ ର ସର୍ବ ପ୍ରଥମ ପ୍ରଦେଶ ରୂପେ ଉପସ୍ଥାପିତ ହେଇ ପାରିଥିଲେ
ସେହି ଦିଗନ୍ତକାରୀ ପୂରୋଧା ମାନେ ଆଉ ନାହାନ୍ତି ସତ କିନ୍ତୁ ସେମାନଙ୍କ ଗୌରବମୟ ଇତିହାସ ଆଜି ବି ପ୍ରତ୍ୟେକ ଓଡ଼ିଆ ର ହୃତ୍ ସ୍ପନ୍ଦନ କୁ ମାତୃଭୂମୀ ପ୍ରେମ ରେ ତ୍ୱରାନ୍ୱିତ କରୁଛି
ଅବିସ୍ମରଣୀୟ ଆମ ଐତିହ୍ୟ, ଆକର୍ଷଣୀୟ ଆମ ମାତୃଭୂମି, ଆଶ୍ଚର୍ଯ୍ୟମୟ ଆମ ପରମ୍ପରା ଏବଂ ସଂସ୍କୃତି, ଜଗତ ବିଖ୍ୟାତ ଆମ ପ୍ରଭୁ ଜଗନ୍ନାଥ
ଆମେ ଓଡ଼ିଆ ମାଟି ର ପୁତ୍ର ସନ୍ତାନ ରୂପେ ଚୀର ଗର୍ବିତ।
(ସଂଗୃହିତ)
ଗୋଲକ ନାୟକ।
------ ଅବହେଳା ଓ ଭ୍ରାନ୍ତି ------
( ମୋମୋ କୁ "ଠ" ବର୍ତ୍ତୁଳ କରି, ଭିତରେ ଛେନାପୁର ଦେଇ , ପ୍ରଦର୍ଶନୀ ରେ "ଛେନା ମଣ୍ଡା" ଲେଖିଦେଲେ ସ ଚିଜ ଟି ଛେନାମଣ୍ଡା ତ ହୁଏନାହିଁ , ମୋମୋ ହୋଇ ମଧ୍ୟ ରହେ ନାହିଁ । ଆଗାମୀ ତିନିଦିନ ଭିତରେ ଆମେ ପାଳନ କରିବା ଦୁଇଟି ବଡ଼ ଉତ୍ସବ, ଆମର ଐତିହ, ଇତିହାସ ଓ ଅସ୍ମିତା କୁ ନେଇ । ସେ ଅସ୍ମିତା କିନ୍ତୁ କେବଳ ଆମ ଓଠ ପର୍ଯ୍ୟନ୍ତ ସୀମାବଦ୍ଧ ହୋଇ ଯାଇନି ତ ? )
ଉନବିଂଶ ଶତାବ୍ଦୀରେ ପ୍ରକାଶିତ ଜେନ୍ ଅଷ୍ଟିନ୍ ଙ୍କ ଉପନ୍ୟାସ "ଅହମିକା ଓ ଭ୍ରାନ୍ତି" ( Pride and Prejudice) ସହିତ ଏହାର କିଛି ସମ୍ବନ୍ଧ ନାହିଁ । ତେବେ ଏତିକି କହିବି : ଅହମିକା ଠାରୁ ଅବହେଳା ଅନେକ ସମୟରେ ଅଧିକ ଘାତକ ସିଦ୍ଧ ହୋଇଥାଏ । ଉପେକ୍ଷା ଓ ଅବହେଳାର ଶିକାର ହେଲେ ଯେମିତି ନିଷ୍ପାପ ଦେବଶିଶୁଟିଏ ବି ଅନ୍ଧଗଳିରେ ବାଟବଣା ହୋଇଯାଏ ; ଆଉ ଯେଉଁଭଳି କାମ୍ବୋଡିଆର ସହସ୍ର ବର୍ଷର ଐତିହ୍ୟ , ଐଶ୍ୱର୍ଯ୍ୟ ଅରଣ୍ୟ ତଳେ ହଜିଯାଇ ଆଜିର ଆଙ୍କୋର ୱଟ୍ ପାଲଟିଯାଏ, ଠିକ୍ ସେଇଭଳି ବର୍ତ୍ତମାନର ଗୋଟାଏ ଅଧେ ବିଷୟକୁ ନେଇ ଏ ଚର୍ଚ୍ଚା ।
ଏବେ ଏଇ ମାର୍ଚ୍ଚ ମାସର କ୍ୟାଲେଣ୍ଡରଟି ଓଲଟି ଏପ୍ରିଲ ହେବା ଭିତରେ ଆମେ ଦୁଇ ଦୁଇଟି ବଡ଼ ଐତିହାସିକ ଦିବସ ପାଳନ କରିବା । ସେଇ ସ୍ମୃତିରେ କେତେଥର ଶଙ୍ଖ ଫୁଙ୍କା ହୋଇଯିବ ଓ ତା'ପରେ ଆଉ ବର୍ଷ ଟିଏ ବିତିଯିବ ଗଭୀର ସୁସୁପ୍ତି ଭିତରେ ପୁଣି ଆସନ୍ତା ବର୍ଷ କେଇ ଘଡ଼ି ଚେଇଁ ଆଉଥରେ ଶଙ୍ଖ ଫୁଙ୍କିବା ପର୍ଯ୍ୟନ୍ତ ।
୧) ପ୍ରଥମଟି ହେଲା ଚୈତ୍ର ଶୁକ୍ଳ ପ୍ରତିପଦା, "ବର୍ଷ ପ୍ରତିପଦା" ବା "ହିନ୍ଦୁ ନବବର୍ଷ", ଯାହା ଏ ବର୍ଷ ମାର୍ଚ୍ଚ ୩୦ ତାରିଖରେ ପଡୁଛି ।
ଆମ ତିଥି ମାନଙ୍କର ବୈଶିଷ୍ଟ୍ୟ ଯଦି ଆମେ ବିଚାରକୁ ନେଉଥାଉ ତାହେଲେ, ଏଇ ତିଥିଟି ସମସ୍ତ ତିଥି ମାନଙ୍କ ମଧ୍ୟରେ ଶ୍ରେଷ୍ଠ । ଶାସ୍ତ୍ର ଅନୁସାରେ : ବ୍ରହ୍ମାଙ୍କ ସୃଷ୍ଟି ରଚନାର ଏହା ହିଁ ହେଉଛି ପ୍ରାରମ୍ଭ ଦିବସ । କାଳ ଗଣନା ଏହି ଦିନରୁ ଆରମ୍ଭ ହୋଇଛି । ଏହି ତିଥିର ମହତ୍ତ୍ୱ କାଳେ କାଳେ ଜାଜୁଲ୍ୟମାନ ରହିଆସିଛି । ସେଇଥିପାଇଁ ତ୍ରେତୟା ଯୁଗରେ ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ଓ ଦ୍ୱାପର ଯୁଗରେ ଧର୍ମରାଜ ଯୁଧିଷ୍ଠିର ନିଜ ନିଜର ସିଂହାସନ ଆରୋହଣ ପାଇଁ ଏହି ତିଥିଟିକୁ ହିଁ ବାଛିଥିଲେ । କେବଳ ସେତିକି ନୁହେଁ , ସମ୍ରାଟ ବିକ୍ରମାଦିତ୍ୟ ମଧ୍ୟ ନିଜର ରାଜ୍ୟାଭିଷେକ ଏହି ତିଥିରେ ସମ୍ପର୍ଣ୍ଣକରି ବିକ୍ରମାବ୍ଦ ର ପ୍ରଚଳନ କରିଥିଲେ । ନିକଟ ଅତୀତରେ ବେଦ ଉଦ୍ଧାରକ ମହର୍ଷି ଦୟାନନ୍ଦ ସରସ୍ୱତୀ "ଆର୍ଯ୍ୟ ସମାଜ" ର ପ୍ରତିଷ୍ଠା ପାଇଁ ମଧ୍ୟ ଏହି ତିଥି ଟିକୁ ବରଣ କରିଥିଲେ ।
ସେଇଥି ପାଇଁ ଏବର୍ଷ ମାର୍ଚ୍ଚ ୩୦ ଡେଇଁ ୩୧ ହେବାମାତ୍ରେ କ୍ୟାଲେଣ୍ଡର ରେ କଲ୍ୟାତୀତାବ୍ଦ ବା ଯୁଗାବ୍ଦ ୫୧୨୫ ରୁ ୫୧୨୬ ହୋଇଯିବ ଓ ସମ୍ବତ୍ ବା ବିକ୍ରମ ସମ୍ବତ ହେବ ୨୦୮୧ ରୁ ୨୦୮୨ । ହଜାର ହଜାର ବର୍ଷଧରି ଏହି କାଳ ଗଣନା ଆମ ଦେଶରେ ଚଳି ଆସିଛି ଓ ଏହା ଆମର ନିଜସ୍ୱ । ସମୟର ଆବଶ୍ୟକତା କୁ ଦୃଷ୍ଟିରେ ରଖି ନୂତନତା କୁ ଅପଣେଇବାରେ ଆପତ୍ତି ନାହିଁ , କିନ୍ତୁ ଆତ୍ମପରିଚୟକୁ ଜଳାଞ୍ଜଳି ଦେଇକରି କେବେ ନୁହେଁ । ପଡୋଶୀଘର ମାଉସୀଙ୍କୁ ସମ୍ମାନ କରିବା ବହୁତ ଭଲ, ସେଥିପାଇଁ ସାଧୁବାଦ । ହେଲେ, ଭ୍ରାନ୍ତି ର ବଶବର୍ତ୍ତୀ ହୋଇ ପ୍ରତିବଦଳରେ ନିଜର ମାଆଙ୍କୁ ଚିରାକନା ପିନ୍ଧେଇ ଦାଣ୍ଡରେ ବସେଇଦେଲେ , କେବଳ ଧିକ୍କାର ହିଁ ପ୍ରାପ୍ୟ ହେବ ।
୨) ଠିକ୍ ସେମିତି ଏପ୍ରିଲ ୧ ତାରିଖ ଦିନ ପାଳନ ହେବ ଉତ୍କଳ ଦିବସ( ୦୧.୦୪.୧୯୩୬) । ଓଡ଼ିଶା ପାଇଁ ୧୫୬୦ ରୁ ୧୯୩୬ ମସିହାର କାଳଖଣ୍ଡଟି ଇତିହାସର ଏକ ଅଭିଶପ୍ତ ଅଧ୍ୟାୟ । ଷୋଡ଼ଶ ଶତାବ୍ଦୀର ପୂର୍ବବର୍ତ୍ତୀ ହଜାର ହଜାର ବର୍ଷର ଇତିହାସରେ କିନ୍ତୁ ଏ ଭୂଖଣ୍ଡ ନିରବଛ୍ଛିନ୍ନ ଭାବରେ ନିଜର ଗୌରବ ଅକ୍ଷୁର୍ଣ୍ଣ ରଖିଥିଲା । ଏପରିକି କଳିଙ୍ଗ ଯୁଦ୍ଧରେ ମଧ୍ୟ ସମ୍ରାଟ ଅଶୋକ ଏହାର ଶକ୍ତିକୁ ସମ୍ପୂର୍ଣ୍ଣଭାବେ ପଦାନତ କରିପାରି ନାହାଁନ୍ତି ।
ଆଜି ବିନମ୍ରତାର ସହିତ ଏକ ଛୋଟିଆ ପ୍ରଶ୍ନ : ଉତ୍କଳ ଦିବସ ତ ଆମେ ପାଳନ କରୁଛେ ଓ କରିବା , କିନ୍ତୁ ଜଣେ ଓଡ଼ିଆ ଭାବରେ ଆମେ କେତେ ଗର୍ବିତ ଓ କେତେ ଦାୟିତ୍ୱଶୀଳ ??
ବେଶି ନୁହେଁ, ଆଉ ମାତ୍ର ତିରିଶ ବର୍ଷ ପରେ ଓଡ଼ିଆ ଭାଷାର ସ୍ଥିତି ଓ ସ୍ୱରୂପ କେମିତି ହେବ ତାହା କେବଳ ଏଇ ଗୋଟିଏ ଦୁଇଟି କଥାରୁ ଜଣାପଡିଯିବ : ଆମର ପରବର୍ତ୍ତୀ ପ୍ରଥମ ପିଢି ରେ କେତେଜଣ ଓଡ଼ିଆରେ ଲେଖିପଢି ପାରନ୍ତି ?? ଆଉ ଦ୍ୱିତୀୟ ପିଢ଼ି ଟି ବିଷୟ ନକହିଲେ ଭଲ ।
ଷାଠିଏ ବୟସ ଛୁଇଁଥିବା, ସମସାମୟିକ ଆମେ ସମସ୍ତେ ଓଡ଼ିଆ ଲେଖି ପଢି ପାରୁଥିଲେ ମଧ୍ୟ ଏହାର ବ୍ୟବହାର ରେ ଆଜି ଆମର ଆନ୍ତରିକତା କେତେ ? ଏବେ ଆମେ ବ୍ୟବହାର କରୁ କି ଆମର ମାତୃଭାଷା କୁ ପଦେ କିଛି ଲେଖିଲା ବେଳକୁ, କାଗଜରେ ହେଉ ବା ମୋବାଇଲ୍ ରେ ?? ଆଉ ତିରିଶ ବର୍ଷ ପରେ ପିଲାମାନଙ୍କର ଆନ୍ତରିକତା ଯେଉଁ ସ୍ତରରେ ପହଞ୍ଚିଥିବ ସେଇଥିରୁ ହିଁ ଆମ ମାତୃଭାଷା ର ଭବିଷ୍ୟତ ଜଳଜଳ ଦିଶୁଛି !!
ଏବର ବଡ଼ବଡ଼ ଲୋକମାନେ, ବିଲାତି ନୁହଁନ୍ତି ,ଦେଶୀ ଓଡିଆ ସାହେବ ସାହେବାଣୀ ମାନେ , ତାଙ୍କ ଘରର କୁକୁର ସହିତ ବାଟ ଘାଟରେ ବି ଇଂରାଜୀ ରେ କଥାବାର୍ତ୍ତା କରନ୍ତି : "ହା..ଇ.. ଟାଇଗର୍ , କମ୍ ହିଅର । ଗୁଡ଼୍ ବୟ । ସିଟ୍ ଡାଉନ୍ ...." ତେଣୁ , ସେମାନେ ପିଲାମାନଙ୍କ ସହିତ ଘରେ ଓଡ଼ିଆରେ କଥାବାର୍ତ୍ତା କରିବା ପ୍ରଶ୍ନ ଟି ଉଠାଇବା ନାହିଁ ।
ଏବେକାର ପିଲାମାନଙ୍କ ଭିତରୁ ତପସ୍ୱିନୀ, ଚିଲିକା, ନୀଳଶୈଳ, ଛଅମାଣ ଆଠଗୁଣ୍ଠ କେତେଜଣ ପଢିଥିବେ ପଚାରିବି ନାହିଁ , କେବଳ ପଚାରିବି, ସେମାନଙ୍କ ଭିତରୁ କେତେଜଣ ଗୋଟିଏ ଲେଖାଏଁ ଧାଡି ମାତ୍ର କହି ପାରିବେ ସାରଳା ଦାସ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, ରାଧାନାଥ ରାୟ, ଭୀମ ଭୋଇ, ଗଙ୍ଗାଧର ମେହେର କି ଗୋଦାବରୀଶ ମହାପାତ୍ର ଙ୍କ ଉପରେ !
ଆମ ପିଲାମାନେ କେବେ ବି ଥରେ ସଂଯୁକ୍ତା ପାଣିଗ୍ରାହୀ, ସୁନନ୍ଦା ପଟ୍ଟନାୟକ, ବାଳକୃଷ୍ଣ ଦାଶ,ରଘୁନାଥ ପାଣିଗ୍ରାହୀ, ଗୁରୁ କେଳୁଚରଣ ଙ୍କ ବିଷୟରେ ଶୁଣିବାର ଅବସର ପାଉଛନ୍ତି କି ?
ଆମେ କେବେ ସୁଯୋଗ ଦେଇଛେ ଆମର ପିଲାଙ୍କୁ , ଗଜପତି କୃଷ୍ଣଚନ୍ଦ୍ର ଦେବ, ବୀର ସୁରେନ୍ଦ୍ର ସାଏ , ମଧୁ ବାବୁ, ଉତ୍କଳମଣି କିମ୍ବା ପଠାଣି ସାମନ୍ତ ଙ୍କ ବିଷୟରେ ଜାଣିବା ପାଇଁ !!
ମାତ୍ର ଅଳ୍ପକିଛି ମହାପୁରୁଷଙ୍କ ନାମ ଉଲ୍ଲେଖ କରିଛି, ସେହିପରି ଶହଶହ ପ୍ରାତଃ ସ୍ମରଣୀୟ ଙ୍କୁ ଜନ୍ମ ଦେଇଛି ରତ୍ନଗର୍ଭା ଏଇ ମାଟି ।
ସ୍ୱାଧୀନତା ପରେ, ପଚାଶ ,ଷାଠିଏ ଓ ସତୁରୀ ଦଶକରେ ଜନ୍ମ ନେଇଥିବା ଆମ ଭିତରୁ ପ୍ରାୟ ସମସ୍ତଙ୍କର ଆତ୍ମ ସମୀକ୍ଷା ର ସମୟ ହୁଏତ ଆସିଛି , ତାହାହେଲା : ବର୍ତ୍ତମାନର ଏ ବିକଟ ପରିସ୍ଥିତି ପାଇଁ ଆମର ଅବଦାନ କେତେ, ତା'ର ଆକଳନ କରିବା ; ତାହା ପୁଣି ନିରପେକ୍ଷ ଭାବରେ । ଏଠି ସରକାର କିମ୍ବା ବ୍ୟବସ୍ଥା ଆଡ଼କୁ ଆଙ୍ଗୁଳି ଦେଖାଇବା ଚଳିବ ନାହିଁ !!
ସ୍ୱତନ୍ତ୍ର ଓଡ଼ିଶା ଗଠନ ପାଇଁ ନିଜର ତନ ମନ ଧନ ସମର୍ପଣ କରିଥିବା ସେନାପତି ମାନେ ସେତେବେଳେ ଏ ଜାତିର ଦୁର୍ଗତି ଦେଖି ଗାଇଥିଲେ ......." ମାଆ ମାଆ ବୋଲି କେତେ ମୁଁ ଡାକିଲି ମାଆ କୁ ପାଇଲି ନାହିଁ ........"
କାରଣ ସେତେବେଳେ ଓଡ଼ିଆ ର ସ୍ୱତନ୍ତ୍ର ପରିଚୟ କିଛି ନଥିଲା । ସବୁକିଛି ହଜି ଯାଇଥିଲା । ସେହି ଯୋଦ୍ଧାମାନଙ୍କ ବଳିଦାନରୁ ଆମେ ଆମର ହୃତ ପରିଚୟ ଫେରି ପାଇଲେ, ଜୀବନଦାନ ପାଇଲା ସ୍ୱତନ୍ତ୍ର ଓଡ଼ିଶା । ହେଲେ, ଶହେଟି ବର୍ଷ ବି ନପୁରୁଣୁ ପୁଣି ଦେଖାଦେଲାଣି ସେଇ ଏକା ସମସ୍ୟା । ପରିଚୟର ସମସ୍ୟା । ମୋମୋ କୁ "ଠ" ବର୍ତ୍ତୁଳ କରି, ଭିତରେ ଛେନା ପୁର ଦେଇ, ପ୍ରଦର୍ଶନୀ ରେ "ଛେନା ମଣ୍ଡା" ଲେଖିଦେଲେ ସେ ଚିଜ ଟି ଛେନାମଣ୍ଡା ତ ହୁଏ ନାହିଁ , ମୋମୋ ହୋଇ ମଧ୍ୟ ରହେ ନାହିଁ ।
ଯଦି ଯତ୍ନ ନ ନିଆଯାଏ, ତେବେ ନିଜର ଭାଷା, ସାହିତ୍ୟ, ସଂସ୍କୃତି, ଇତିହାସ ...ଭିତରେ ନିହିତ ଅପାର ଐଶ୍ୱର୍ଯ୍ୟ ର ଜ୍ୟୋତିପିଣ୍ଡ କୁ ଜାଣିନପାରି ଆମର ଦାୟାଦ ମାନେ ସ୍ୱପରିଚୟବିହୀନ ହୋଇ ସାମାନ୍ୟ ଜୁଳୁଜୁଳିଆ ପୋକଙ୍କ ଗହଣରେ ବି ଝାଉଁଳି ପଡି ମୁହଁ ଲୁଚେଇ ରହିବେ !!
ସମୟ ଅତିକ୍ରାନ୍ତ ହୋଇଯାଉଥିଲେ ବି ପୁରାପୁରି ଅନ୍ଧକାର ହୋଇନାହିଁ । ଏବେ ବି ପ୍ରାୟଶ୍ଚିତ କରିବାର ଅବସର ରହିଛି ।
-------- ଶ୍ରୀନିବାସ ମାନସିଂହ