❤️ ବାପା ❤️
ହଜାରେ କବିତା ଲେଖିଲିଣି ହେଲେ
ମନେ ତୃପ୍ତି ଦେଉ ନାହିଁ !
ବାପା ବୋଲି ପଦେ ଲେଖିଦେଲେ ହୃଦେ
ଆନନ୍ଦ ଢେଉ ଖେଳଇ !!
ବାପା ବଟବୃକ୍ଷ, ବାପା ଦେବାଳୟ ,
ବାପା ସୁବିଶାଳ ବ୍ୟୋମ !
ତାଙ୍କରି ଉଚ୍ଚତା ମାପି ହୁଏ ନାହିଁ ,
ସିଏ ମହାପୁଣ୍ୟ ଧାମ !!
ନାରୀକେଳ ପରି ଉପର କଠିନ,
ମନଟି ନରମ ଭାରି !
ଅନୁଶାସନରେ ଗଢି ଦେଇଥାନ୍ତି
ମାଟିକୁ ମଣିଷ କରି !!
ମାଟିବୈକୁଣ୍ଠର ଚଳନ୍ତି ଦେବତା ,
ବିଶ୍ୱାସର ବୋଧିଦ୍ରୁମ !
ତୁଳନା ତୁମର କା' ସଙ୍ଗେ କରିବି ,
ଶବ୍ଦକୋଷ ହେବ ଭ୍ରମ !!
ଅନ୍ଧାରରୁ ସିଏ ଆଲୁଅ ଆଡ଼କୁ
ହାତଧରି ନେଉଥା'ନ୍ତି !
ରକ୍ଷା କବଚଟେ ହୋଇ ପୁଣି ସିଏ
ପାଖେପାଖେ ରହିଥା'ନ୍ତି !!
ଝୁଣ୍ଟି ପଡୁଥିଲେ ପଡିବା ଆଗରୁ
ଆଦରେ ନିଅନ୍ତି ତୋଳି !
ମୁଁ ସିନା ତାଙ୍କରି ଗେଲ୍ହେଇ ବନିତା ,
ସେ ମୋର ଅଳି ଅର୍ଦ୍ଦଳି !!
ବାପା ଡାକିଦେଲେ ଝରଇ ବହଳେ
ଶ୍ରଦ୍ଧା ଭକତିର ଫୁଲ !
ମୋ' ଚଲାପଥରେ ଆପେ ବୁଣି ହୁଏ
ତାଙ୍କ ପୁଣ୍ୟ କର୍ମଫଳ !!
ଜୀବନ ପଥରେ ଆଲୋକଵର୍ତ୍ତିକା ,
କର୍ମରେ କର୍ମ-ସଂହିତା !
କୋଟିଏ ପ୍ରଣାମ ତାଙ୍କରି ପାଦରେ
ସେ ମୋ' ଭାଗବତ ଗୀତା !!
🌹ଲୋପାମୁଦ୍ରା ଜେନା 🌹
No comments:
Post a Comment