Friday 16 February 2024

ଓଡ଼ିଆ କବିତା "ଏକା ତୁ କାଳିଆ ସତ" / TRANSLATED ENGLISH POEM "KALIA, ONLY YOU ARE TRUE.


ଏକା ତୁ କାଳିଆ ସତ


ଦିନେ ଯିଏ ଥାଏ ଅତି ଆପଣାର ,

ହୁଏ ଦିନେ ସାତପର !

ଦିନେ ଯେ ବୁଣଇ ଖୁସିର ଫସଲ ,

ଝରାଏ ସେ ଲୁହଧାର !!


ମିଛ ଦୁନିଆରେ ସବୁ ଲାଗେ ମିଛ ,

ଏକା ତୁ କାଳିଆ ସତ !

ଯୁଆଡ଼େ ଟାଣୁଛୁ ସିଆଡେ ଯାଉଛି ,

ଲୀଳାମୟ ଜଗନ୍ନାଥ !!


ଜୀବନ ପଥରେ କେତେ କାଚକଣ୍ଟା ,

ଲହୁଲୁହାଣ ଯେ କରେ !

ତୋ' ନାମ ଧରିଲେ ଫୁଲ ଫୁଟିଯାଏ ,

ଚଲାପଥ ଧାରେ ଧାରେ !!


ଚୋରାବାଲି ଦେହେ କେବେ ପାଦ ଖସେ ,

ଡାକିଚାଲେ ଜଗା ରଖ !

ସମୟ ଖେଳଇ ଲୁଚକାଳି ଖେଳ ,

ଦିଶେ ତୋ'ର ପଦ୍ମମୁଖ !!


ସାରୁ ପତରରେ ଜଳବୁନ୍ଦା ପରି ,

ଜୀବନ ଯେ ଢଳଢଳ !

ଏତେ ଇର୍ଷା କିଆଁ ମନରେ ପାଳୁଛ ,

ଜଳି ନିଜେ ତିଳତିଳ ।


ଜୀବନ-ପାତ୍ରରେ କେବେ ଭରିଯାଏ

ଅଗଣିତ ଖୁସି ଫୁଲ !

କେବେ ଢ଼ଳଢଳ ଲୁହ-ମୁକୁତାରେ ,

କିଏ ବା ଦେବ ତା' ମୂଲ ??


ଗୋଲାପର ଶେଯ ନୁହଁଇ ଜୀବନ ,

କେବେ ଖରା କେବେ ଛାଇ !

ଆବୁଡ଼ା ଖାବୁଡ଼ା ପଥଧାର ତା'ର ,

ପଡ଼ିଲେ ରଖିବୁ ସାଇଁ !!


କିଏ ଆପଣାର କିଏ ଏଠି ପର ,

ସମୟ ଚିହ୍ନେଇ ଦିଏ !

ତୁଇ ଜଗନ୍ନାଥ ଏକା ଅଟୁ ସତ୍ୟ ,

ତୋ' ଭାବରେ ଜିଉଁଥାଏ !!

No comments:

Post a Comment