*ତୁମେ ଥିଲେ ମୋର ସାଥେ*
ଇଚ୍ଛା ବହୁଦୂର ଚାଲିବାକୁ ମୋର
ତୁମ ହାତ ଛନ୍ଦି ହାତେ
ଜୀବନର ପଥ ପାରି ହୋଇଯିବି
ତୁମେ ଥିଲେ ମୋର ସାଥେ।
ମନ ଚାହେଁ ସତେ ଭିଜିବା ପାଇଁକି
ଜୋଛନା ଭିଜା ଏ ରାତେ
ଉଆଁସ ଆକାଶେ ଜହ୍ନ ଉଇଁ ଆସେ
ତୁମେ ଥିଲେ ମୋର ସାଥେ।
ଭୁଲିଯାଏ ଯେତେ ଜୀବନ ଯନ୍ତ୍ରଣା
ଚାହିଁ ଦିଅ ଯେବେ ମୋତେ
କଣ୍ଟକିତ ପଥ ଲାଗେ ଫୁଲ ସମ
ତୁମେ ଥିଲେ ମୋର ସାଥେ ।
ତୁମ ଭାବନାରେ ନିଶି ଦିବସରେ
ସମୟ ମୋହର ବିତେ
ପଳାଶ ବି ବାସେ ନିଶିଗନ୍ଧା ପରି
ତୁମେ ଥିଲେ ମୋର ସାଥେ ।
ସାଗର ବୁକୁରେ ଫେନୀଳ ଜୁଆର
ମଥା ପିଟୁଥାଏ ଯେତେ
ମୋ ମନେ ପ୍ରୀତିର ଜୁଆର ସଂଚରେ
ତୁମେ ଥିଲେ ମୋର ସାଥେ ।
ବିନା ଫଗୁଣରେ ଗାଏ ସାତ ସୁରେ
ମୋ ମନ କୋଇଲି ସତେ
ଜୀବନଟା ହସେ ମନ ଖୋଲି ବାରେ
ତୁମେ ଥିଲେ ମୋର ସାଥେ ।
ଆସ ସାଥି ଆସ ଭରିଦିଅ ହସ
ଥିବାଯାଏ ଏ ମରତେ
ଅନ୍ତିମ ଶେଜରେ ଶୋଇବି ଶାନ୍ତିରେ
ତୁମେ ଥିଲେ ମୋର ସାଥେ ।
ଭାରତୀ ରଥ(ଶିକ୍ଷୟିତ୍ରୀ)
ରଗଡ଼ି, ବାଙ୍କୀ, କଟକ
ତା-୧୪.୧୦.୨୦୨୨
WHEN THOU ART WITH ME........
No comments:
Post a Comment