Monday 18 December 2023

ଓଡ଼ିଆ କବିତା "ତେବେ ଯିବି ମୋକ୍ଷପାଇ......" / TRANSLATED THEN ONLY WILL I ATTAIN SALVATION!"

 ତେବେ ଯିବି ମୋକ୍ଷପାଇ......


ଲୋଡ଼ାନାହିଁ ମତେ କୋକେଇ ଶେଯରେ

ଗଜରା ଫୁଲରେ ହାର,

ତୁମଘରେ ଯେତେ ଅଳିଆଅସନା 

ପିନ୍ଧାଅ ଗଳାରେ ମୋର ।।।


ପିନ୍ଧାଇବନାହିଁ ମନା ମୁଁ କରୁଚି 

ହୋଲି ଅବିର ର ଟୀକା,

ନିଶ୍ଚୟ ପିନ୍ଧାଇ ଦିଅ ମୋ ମଥାରେ

ତୁମ ମନ ଅହମିକା ।।।


ଦେବନାହିଁ ମତେ ଗାଆଁ ଶେଷମୁଣ୍ଡେ

କ୍ଷିରୀ ପୁରୀ ଭାତହାଣ୍ଡି,

ବୁଭୁକ୍ଷୁ ପେଟରେ ତୃଷାର୍ତ୍ତ ଓଠରେ 

ଦିଅ ଅନ୍ନ ପାଣି ଖଂଜି ।।।


କରନାହିଁ ମୋର ପ୍ରେତ କ୍ରିୟାକର୍ମ

ଅମୋକ୍ଷ ପଛେ ମୁଁ ହେବି,

ଅସହାୟ, ଅସମର୍ଥ, ନିରନ୍ନକୁ 

ଖଂଜିଲେ ମୁଁ ପାଇଯିବି ।।।


ନେବନାହିଁ ମତେ ପୁରୀ ସ୍ୱର୍ଗଦ୍ଵାରେ 

ଲୋଡ଼ା ନାହିଁ ମତେ ମୋକ୍ଷ,

ମୋ ଗାଆଁ ମଶାଣି କହୁ ମୋ କାହାଣୀ

ସେଇ ମୋର ଶେଷ ଲକ୍ଷ୍ୟ ।।।


ମୋର ଶବଦାହ କରିବନି କେବେ

ଘିଅ ଚନ୍ଦନ କାଠରେ,

ଅନାଥ ଅରକ୍ଷ ଅଭାଗାକୁ ଦେଇ

ହସ ଫୁଟାଅ ଓଠରେ ।।। 


ଦାହ ଶେଷରେ ମୋ ଅସ୍ଥି ଖଣ୍ଡ ଆଣି

ଗଙ୍ଗାରେ ପକାଅ ନାହିଁ,

ମୋ ଘର ଛକରେ ଖାଲ ଯାଗା ଦେଖି

ପୋତିଦିଅ ଦେଲି କହି ।।।


ଭିତରେ ରହି ମୁଁ ହାତରେ ଟିକେ ତ

ପାରିବି ସଭିଙ୍କୁ ଛୁଇଁ,

ଝୁଣ୍ଟିପଡୁଥିଲେ ଟେକି ଧରୁଥିବି 

ତେବେ ଯିବି ମୋକ୍ଷ ପାଇ ।।।👏👏


© ଆଶାଲତା ସାହୁ ।। 2023/12/16 18:49

No comments:

Post a Comment