*ବାହୁଡ଼ା ଯାତ୍ରା*
ଜନ୍ମବେଦୀ ଛାଡ଼ି କାଳିଆ ଆସୁଛି
ଭାଇ ଭଉଣୀଙ୍କୁ ସାଥେ ଧରି ,
ସୁନ୍ଦରାଞ୍ଚଳରୁ ନୀଳାଚଳ ଆସେ
ଶରଧା ବାଲିରେ ରଥ ଚଢ଼ି ।
ନବଦିନ ବ୍ଯାପି ମା ହାତ ପରଷା
ଖାଇ ବୁଲୁଥିଲା ଆନନ୍ଦରେ ,
ଜନ୍ମ ମାଟି ମୋହ ଗୋପୀଙ୍କର ମେଳ
ଆଡ଼ପ ରହଣୀ ସମୟରେ ।
କର୍ତ୍ତବ୍ଯ ଆହ୍ବାନେ ମାତାଙ୍କର ସ୍ନେହ
ଶରଧା ଆଦିକୁ ପଛ କରି ,
ଫେରି ଆସୁଅଛି ଐଶ୍ଚର୍ଯ୍ଯ ଧାମକୁ
ଭକତ ଗହଣେ ନରହରି ।
ଭାଇ ହଳଧର ସାଥେ ଥିଲେ ବୋଲି
ମା ଲକ୍ଷ୍ମୀଙ୍କୁ ଛାଡ଼ି ଶ୍ରୀମନ୍ଦିରେ ,
ହଳଦୀ ମୁହିଁ ସେ ଭଉଣୀକୁ ଧରି
ଜନମ ବେଦୀକୁ ବୁଲିଗଲେ ।
ଲକ୍ଷ୍ମୀ ରୋଷ ହେଲେ ଝିଙ୍ଗାସି କହିଲେ
ଭାଙ୍ଗି ରଥ କାଠ ଖଣ୍ଡେ ଧରି ,
ରାଗ ତମତମେ ଦ୍ବାରେ ଚୂର୍ଣ୍ଣ ଫିଙ୍ଗି
ମନ୍ଦିରକୁ ଯେ ଆସିଲେ ଫେରି ।
ପତ୍ନୀ ରୋଷ ଦେଖି ପ୍ରଭୁ ଚକାଆଖି
ବିଳମ୍ବ ନକରି ଆଜ ଦିନେ ,
ବାହୁଡ଼ି ଆସନ୍ତି ଗହଳି ଲଗାଇ
ଭକତଙ୍କ ମେଳେ ସ୍ବଭୁବନେ ।
ଟାହିଆ ହଲାଇ ଘଣ୍ଟ ଘଣ୍ଟା ବାଇ
ଦାରୁବ୍ରହ୍ମ ଆସନ୍ତି ରଥରେ ,
ମେଘ କୋଳେ ବସି ତପନ ଢାଳନ୍ତି
ସୁକୋମଳ ରଶ୍ମୀ ଧରଣୀରେ ।
ମଳୟ ଚାମର ବିଞ୍ଚନ୍ତି ଯତନେ
ଗାଇ ମୁହୁର୍ମୁହୁ ସୁସଂଗୀତ ,
ଜଗତ ଠାକୁର ଆସୁଛନ୍ତି ଫେରି
ପ୍ରକୃତି ଆନନ୍ଦେ ପୁଲକିତ ।
ଆସୁ ଆସୁ ରଥେ ବଳଗଣ୍ଡି ପାଶେ
ଅର୍ଦ୍ଧାଶିନୀ ମାଉସୀ ପଥରେ ,
ଠିଆ ହୋଇଛନ୍ତି ପୋଡ଼ ପିଠା ଧରି
ଖାଇବ କାଳିଆ ହରଷରେ ।
ତ୍ରେତା ଯୁଗେ ସିଏ କୈକେୟୀ ନାମରେ
ଦ୍ବାପରେ ଯଶୋଦା ମାଆ ହୋଇ ,
ଏ କଳି ଯୁଗରେ ହୋଇ ଅର୍ଦ୍ଧାଶିନୀ
ପୋଡ଼ ପିଠା ଦିଅନ୍ତି ଖୁଆଇ ।
ରଥ ପଥକୁ ସେ ସୁଗମ କରିଲେ
ଜଳ ଶୋଷି ମାଳିନୀ ନଦୀର ,
ଯୋଗମାୟା ଶକ୍ତିରୁ ସମ୍ଭୂତା ମାତା
ଅର୍ଦ୍ଧଶୋଷଣୀ ଯେ ନାମ ତା'ର ।
ପୋଡ଼ ପିଠା ଖାଇ କାଳିଆ ଆସଇ
ବଡ଼ ଦାଣ୍ଡେ ରଖି ନନ୍ଦିଘୋଷ ,
କହେ ଭକତଙ୍କୁ ରହିଯା କାଲିକୁ
ଦେଖିବ ଆମର ସୁନାବେଶ ।
ଜୟ ଶ୍ରୀଜଗନ୍ନାଥ।
ତରୁଣ କୁମାର ମିଶ୍ର।
ଖଣ୍ଡଗିରି ,ଭୁବନେଶ୍ବର
ମୋ-9853310292
No comments:
Post a Comment