ତୁମ ଅଭିମାନ ତୁମ ଯେତେ ମାନ
ହୃଦୟେ ସାଇତି ନେଲି ,
ବଣମଲ୍ଲୀଟିଏ ଥିଲି ମୁଁ ବଣରେ
ଶ୍ରଦ୍ଧାର କୁଣ୍ଡେ ବଢ଼ିଲି !!
ଵଣେ ଫୁଟିଥିଲି ଵଣେ ଝଡିଥାନ୍ତି
କେହି ନ ଜାଣନ୍ତେ ମତେ ,
ତୁମରି ମମତା ତୁମ ଆତ୍ମୀୟତା
ପରିଚିତ କଲା ସତେ !!
ଗୁଣକୁ ଚିହ୍ନନ୍ତି ଗୁଣିଜନ ସିନା
ସୁନାକୁ ବଣିଆ ଚିହ୍ନେ ,
ମୁଁ ବଣମଲ୍ଲୀଟେ ବଣ ମୂଲକର
ତୁମେ ପରଖିଲ ଜେହ୍ନେ !!
ତୁମରି ଆଦରେ ତୁମରି ଯତନେ
ମହକିଲା ମନବନ,
ନାନା ଜାତି ସେଠି କବିତା କୁସୁମ
ଫୁଟିଗଲେ ଘନ ଘନ !!
ହୃଦ ସରସୀରେ ଫୁଟିଗଲା ପୁଣି
ଘନନୀଳ ନୀଳକଇଁ ,
ମନ ଆକାଶରେ ତୁମେ ହେଲ ଜହ୍ନ
ମୁଁ ରହିଲି ତୁମେ ଚାହିଁ !!
ସକାଳ ମୋପାଇଁ ସିନ୍ଦୁରିତ ହେଲା
ସୂରୁଜ ଢାଳିଲେ ରଙ୍ଗ ,
ଧ୍ୟାନମଗ୍ନ ସେହି ଶତଦଳ ପୁଣି
ହୋଇଗଲା ମୋର ସାଙ୍ଗ !!
କିଚିରି ମିଚିରି ଚଢ଼େଇ ଉଡିଲେ
ନାନା ଜାତି ଗୀତ ଗାଇ ,
ଫଗୁଣ ଆସିଲା ମୋ ମନ ରାଇଯେ
ଫଗୁରଙ୍ଗ ମେଞ୍ଚେ ନେଇ !!
ସାରା ଆକାଶରେ ଲାଗିଗଲା ରଙ୍ଗ
ସେ ରଙ୍ଗ ଲାଗିଲା ମନେ ,
ସେ ମନରେ ତୁମ ନାଁକୁ ଲେଖିଲି
ଭିଜିଯାଇ ଭାବେ ଦିନେ !!
ସେଦିନୁ ଝରୁଛି ଶବଦର ମୋତି
କାଗଜର କିଆରୀରେ ,
ତୁମପାଇଁ ସିନା ମୋମନ ଅଗଣା
ଝୁମୁଥାଏ ଗୀତ ସୁରେ !!
ତୁମେ ମୋ ଭାବରେ ତୁମେ ମୋ ଆତ୍ମାରେ
ଏମିତି ସଂଚରୁ ଥାଅ,
ତୁମକୁ ଝୁରେ ମୁଁ ଝୁରିକି ସରେ ମୁଁ
ତୁମେ କିନ୍ତୁ ତୁମେ ରୁହ !!
ତୁମେ ଯଦି ନାହଁ କାହିଁ ମୋ ଅସ୍ତିତ୍ଵ
ପୁଣି ହେବି ବଣମଲ୍ଲୀ ,
ଅୟୁତ କଦମ୍ବ ବାସ ଢାଳିଲେ ବି
ଅଦିନେ ଝଡ଼ିବି ଖାଲି !!
No comments:
Post a Comment