Saturday 16 September 2023

ଓଡ଼ିଆ କବିତା "ରାତି ଯାଉଥିଲା ପାହି"

 

( ବିଶ୍ୱ ଚିଠି ଦିବସର ଅନେକ ଅନେକ ଶୁଭେଚ୍ଛା )
ରାତି ଯାଉଥିଲା ପାହି
*****************
               🌹 ଲୋପାମୁଦ୍ରା ଜେନା
ଯେଉଁଦିନ ତୁମେ ପ୍ରୀତିର କାଳିରେ
ଲେଖିଲ ହୃଦୟ କଥା ,
ଚିଠି ଖୋଲିଦେଇ ଆନମନା ହେଲି
ନଇଁଗଲା ଆଖି ପତା ।
ଶବଦରେ ତୁମେ ଖଞ୍ଜି ଦେଇଥିଲ
ଆକାଶର ଜହ୍ନ ତାରା ,
ରୋଷଣୀରେ ତାଙ୍କ ମୋ' ମନ ଅଗଣା
ଝଲସି ଉଠିଲା ପରା ।
ସାରା ବଗିଚାର ଫୁଲ ତୋଳି ଆଣି
ଶଦ୍ଦେ ଶବ୍ଦେ ଖଞ୍ଜି ଦେଲ ,
କୁଳୁକୁଳୁ ଗୋଟେ ନଈଟେ ରଚିଲ
ତା' କୂଳେ ଘରଟେ କଲ ।
କଦମ୍ବ ଫୁଟିଲା ସେ ନଈ କୂଳରେ
ଉଡ଼ିଲା ବହଳ ବାସ ,
ସଖିମାନେ ମୋର ଟୁପୁରୁ ଟାପୁରୁ
ତୁମ ମୁହେଁ ମିଠା ହସ ।
କାଗଜରେ କେତେ ଡଙ୍ଗା ତିଆରିଲ
ଭରିଲ ତହିଁରେ ପ୍ରୀତି ,
ଭସାଇଲ ତାକୁ ପ୍ରଗଳ୍ଭ ପଣରେ
ଶବ୍ଦର ସୁଅରେ ମାତି ।
ଚିଠି ପଢୁ ପଢୁ ଭାବରେ ଭିଜିଲି
ବତୁରି ଗଲା ମୋ ମନ ,
ନୀଳକଇଁ ପରି ଆଖିଏ ସପନ
ମନ ଫଗୁଣର ବନ ।
ଫଗୁରଙ୍ଗ ମେଞ୍ଚେ ଉଡିଗଲା ସତେ
ହୃଦୟକୁ ମୋର ଛୁଇଁ ,
ତୁମରି ହୃଦୟ କଥା ପଢ଼ୁ ପଢୁ
ରାତି ଯାଉଥିଲା ପାହି ।

No comments:

Post a Comment