Saturday 16 September 2023

ଓଡ଼ିଆ କବିତା " ଗୁରୁ ହିଁ ନମସ୍ୟ"

 


ଗୁରୁଦିବସରେ ସମସ୍ତ ଗୁରୁ, ଗୁରୁଜନଙ୍କୁ ମୋର ବିନମ୍ର ପ୍ରଣାମ ଜଣାଉଛି ..🙏🏻..

" ଗୁରୁ ହିଁ ନମସ୍ୟ " 
_____________
                                            🌹ଲୋପାମୁଦ୍ରା ଜେନା🌹
ଅନ୍ଧାରୁ ଆଲୁଏ ହାତ ଧରି ଯିଏ
ବାଟ ନିଅନ୍ତି କଢ଼ାଇ !
ସେହି ଗୁରୁଙ୍କୁ ମୋ' କୋଟିଏ ପ୍ରଣାମ ,
ଆତ୍ମାରୁ ତାଙ୍କୁ ସ୍ମରଇ !!

ପିତା, ମାତା,ଗୁରୁ ଅଟନ୍ତି ସର୍ବାଗ୍ରେ 
ବିଶାଳ ଆକାଶ ସମ !
ଯେତେ ଦୋଷକଲେ ସବୁ କ୍ଷମୁଥା'ନ୍ତି ,
ହୃଦୟଟି ଅନୁପମ !!

ସ୍ୱର୍ଗଠାରୁ ଗୁରୁ ଆହୁରି ସ୍ବର୍ଗୀୟ ,
ଜ୍ଞାନଚକ୍ଷୁ ସେ ଫିଟାନ୍ତି !
ଅଜ୍ଞାନ ଅନ୍ଧାରେ ଆଲୁଅ ସାଜିଣ
ଦୀପ ପରି ଜଳୁଥାନ୍ତି !!

ସେ ନିଜେ ତ ଜଣେ ଜ୍ଞାନର ସଳିତା ,
ବିଦ୍ୟା ବିତରଣ କରି !
ମାଟି ପିଣ୍ଡୁଳାରେ କେତେ ରଙ୍ଗ ଲେପି
ଜୀବନ ଦିଅନ୍ତି ଭରି !!

ଦୁବଠାରୁ ଦାରୁ ସଭିଏ ତ ଗୁରୁ ,
ସୁଜ୍ଞାନ ବାଣ୍ଟନ୍ତି କେତେ !
ଅହଙ୍କାର ଛାଡି ସୁଗୁଣ ଶିଖିଲେ
ଚାଲିବା ଗରିମା ପଥେ !!

କୁମ୍ଭାର ଗଢ଼ଇ ମାଟି ପିଣ୍ଡୁଳାକୁ
ଯେମିତି ସୁରମ୍ୟ କରି !
ଗୁରୁ ସେହିପରି ଶିଷ୍ୟକୁ ଗଢନ୍ତି
ଯତ୍ନେ ହୃଦୟୁ ଆଦରି !!

ବିଦ୍ୟା ପରି ଧନ ନାହିଁ ଏ ଜଗତେ ,
ବିଦ୍ୟାଦାତା ଗୁରୁଶ୍ରେଷ୍ଠ !
ପିତା ଆଉ ମାତା ଭୂମିକା ନିଭାନ୍ତି ,
ଚିନ୍ତନ୍ତି ନାହିଁ ଅନିଷ୍ଟ !!

ଗୁରୁ ଶିଷ୍ୟଙ୍କର ନିବିଡ଼ ସମ୍ପର୍କ ,
ବଢାଏ ଜ୍ଞାନର ସୀମା !
ଗୁରୁଦେବ ସଦା ସର୍ବଦା ନମସ୍ୟ ,
ନାହିଁ ତାଙ୍କରି ଉପମା !!

No comments:

Post a Comment