Thursday, 15 September 2022

ଓଡ଼ିଆ ଢଗ ଢମାଳି ର ଇଂଲିଶ ଅନୁବାଦ

 Odia Gapa

ଲୋକ କଥା ଢଗ ଢମାଳି

ଅନୁଭବ ଓ ଉପଦେଶ

୧/ ଅକାଳେ ନିୟମ ନାସ୍ତି । (ଦୁଃଖସମୟରେ ନିୟମକୁ ମାନି ଚଳିବା ସମ୍ଭବ ନୁହେଁ ।)

୨/ ଆଁ କଲେ ବତିଶ ଦାନ୍ତ ଦିଶେ । (ପେଟର ଗୁମର ପଦାରେ ପଡିଯିବା ।)

୩/ ଆଗତ ପଂଚା, ସବୁ କଂଚା । (କଂଚା ଫଳ ପାଚିଲେ ଖାଇବାର ଆଶା ଓ ଭବିଷ୍ୟତରେ ଫଳ ପାଇବା କଥାକୁ ଭାବିବା, ଏକା କଥା । ଆଗତ ପାଂଚ ଭଲ ନୁହେଁ ।)

୪/ ଆଲୋ ସଖି, ଆପଣା ମହତ ଆପେ ରଖି । (ନିଜର ସମ୍ମାନ ନିଜର କାର୍ଯ୍ୟ ଉପରେ ନିର୍ଭର କରେ ।)

୫/ କଥା ମାଜିଲେ ମୋଟ, ସୂତା ମାଜିଲେ ସରୁ । (ଗୋଟିଏ କଥାକୁ ଧରିବସି ବାରମ୍ବାର ଆଲୋଚନା କଲେ ତାହା କ୍ରମେ ବଡ ଆକାର ଧାରଣ କରେ ।)

୬/ ଝାଟିମାଟି ଚାଳଘର, ନିଆଁ-ପାଣିକି ସଦା ଡର ।

୭/ ତିନିଘର କୁଣିଆ ଉପାସ ରହେ । (ଅନ୍ୟ ବ୍ୟକ୍ତି କୁଣିଆଙ୍କର ତତ୍ତ୍ୱ ନେବ ବିଚାରି କେହି ଦାୟିତ୍ୱ ନେବା ହେତୁ ।)

୮/ ତୋଳିବାକୁ ସହସ୍ର ଦିନ, ଭାଙ୍ଗିବାକୁ କ୍ଷଣେ । (କୌଣସି ବସ୍ତୁ ଗଢିବା କଷ୍ଟ; କିନ୍ତୁ ଭାଙ୍ଗିବା ଅତି ସହଜ ।)

୯/ ଦିନ ଯାଏ, କଥା ରହେ । (ଦିନଦିନକର କଥା ବହୁକାଳକୁ ମନେରହେ ।)

୧୦/ ନିଆଁ ନ ଥାଇ ଧୂଆଁ ବାହାରେ ନାହିଁ । (କାରଣ ନ ଥାଇ କାର୍ଯ୍ୟ ଦେଖାଯିବା ସମ୍ଭବ ନୁହେଁ ।)

୧୧/ ବଡ ଥିଲେ ପଚାରି, ସାନ ଥିଲେ ବିଚାରି ।

୧୨/ ବିନାଶ କାଳେ ବିପରୀତ ବୁଦ୍ଧି ।

୧୩/ ବିଷ୍ଠାକୁ ଘାଂଟିଲେ ଗନ୍ଧେଇବ ସିନା; ବାସିବ ନାହିଁ । (ନୀଚ ଓ ଘୃଣ୍ୟ କାର୍ଯ୍ୟର ଅଧିକ ଆଲୋଚନା ଅବାଛନୀୟ ।)

୧୪/ ଯେଉଁଠି ଠିକନ୍ତି, ସେଇଠି ଶିଖନ୍ତି । (ମନୁଷ୍ୟ ଅଭିଜ୍ଞତାରୁ ଶିକ୍ଷା କରେ ।)

୧୫/ ରୋଗର ଶେଷ, ଋଣର ଶେଷ, ରଖିଲେ ସର୍ବନାଶ ।

୧୬/ ସବୁ ଯାଉ ମହତ ଥାଉ, ମହତ ଗଲେ ନ ମିଳେ ଆଉ ।

୧୭/ ସମ୍ପଦବେଳେ ନ କରିବ ଚାତର, ବିପଦବେଳେ ନ ହୋଇବ କାତର ।

୧୮/ କାନ ଦେବ, ଜିଭ ଦେବ ନାହିଁ । (ସବୁ ଶୁଣିବ; କିନ୍ତୁ ହଠାତ୍ ନିଜର ମତାମତ ବ୍ୟକ୍ତ କରିବ ନାହିଁ ।)

୧୯/ ନଖରେ ଛିଣ୍ଡିବା କଥା କୁରାଢି ଯାଏଁ କିଆଁ ଯିବ?

୨୦/ ନିଜ ବୁଦ୍ଧିରେ ଘାସ କାଟିବ, ପରବୁଦ୍ଧିରେ ଘୋଡା ଚଢିବ ନାହିଁ ।

୨୧/ ଅଳପ ଆୟୀ, ବହୁତ ବ୍ୟୟୀ, ଛୋଟ ପଣତ ପରାୟେ ସେହି । (ସ୍ୱଳ୍ପ ଆୟ ଛୋଟ ପଣତ ପରି ସର୍ବଦା ନିଅଂଟ ହୁଏ ।)

୨୨/ ଆୟ ଦେଖି ବ୍ୟୟ କର ।

୨୩/ ଆୟ ଦଶ ବ୍ୟୟ ଦଶ, ସବୁବେଳେ ହସହସ,

     ଆୟ ଦଶ ବ୍ୟୟ ବାଆର, ଦଉଡରେ ଭାଇ ସାହୁଘର,

     ବ୍ୟୟ ଆଠ ଆୟ ଦଶ, ନିଶରେ ହାତ ମାରି ବସ ।

୨୪/ ନିକିତି ତଉଲ ସାନବଡକୁ, ଯେହୁ ବଡ ହୁଏ ସେହୁ ତଳକୁ ।

୨୫/ କଳନ୍ତର ଆଗରେ ଘୋଡା ଦଉଡିପାରେ ନାହିଁ । (କରଜ ଟଙ୍କାର ସୁଧ ହୁ-ହୁ ବଢିଯାଏ ।)

୨୬/ ଠାକୁର ଖାଇ ଖଟୁଲି ଖାଇବା । (ଲାଭାଂଶ ଭୋଗ କରି ମୂଳଧନ ଖାଇଯିବା ।)

୨୭/ ଥିଲେ ବାଘର ଆହାର, ନ ଥିଲେ ପବନ ଆହାର । (ପାଖରେ ଧନ ଥିଲାବେଳେ ଲୋକ ଭୁରି ଭୋଜନରେ ଦିନ ଯାପନ କରେ ଏବଂ ପାଖରେ ଧନ ନଥିଲାବେଳେ କୌଣସି ପ୍ରକାରେ ପ୍ରାଣ ରକ୍ଷାକରେ ।)

୨୮/ ଦୀପ ତେଜିଲେ ହାତ ଚିକ୍କଣ । (ପରର ଧନ କାରବାର କରିବା ଲୋକର ମଧ୍ୟ ଅର୍ଥିକ ଲାଭ ହୁଏ ।)

୨୯/ ଦେଉଳକୁ ମୁକୁଶିଆଳି (ମୁଖଶାଳା) ବଳିଯିବା । (ଆୟକୁ ବ୍ୟୟ, ଲାଭକୁ କ୍ଷତି, ମୂଳଧନକୁ ସୁଧ ବଳିପଡିବା ।)

୩୦/ ପଇସା ନେବ ଗଣି, ପାଣି ପିଇବ ଛାଣି ।

୩୧/ ବସି ଖାଇଲେ ନଈବାଲି ସରେ । (ଉପାର୍ଜନ ନ କରି ଘରେ ବସି ଆଳସ୍ୟରେ ବ୍ୟୟ କଲେ ନଈବାଲିପରି ଅକଳନା ସମ୍ପତ୍ତି ମଧ୍ୟ ନିଃଶେଷିତ ହୋଇଯାଏ ।)

୩୨/ ବାପ ରୋପିଲା ତାଳ, ପୁଅ ମୁଣ୍ଡକୁ କାଳ । (ବାପ କରିଯାଇଥିବା ଋଣ ବଢି ବଢି ପୁଅକୁ ବିପଦରେ ପକାଏ ।)

୩୩/ ଯେତିକି ଚୁନାକୁ ସେତିକି ପିଠା । (ଆୟ ଘେନି ବ୍ୟୟ)

୩୪/ ଯେବେ ଆଣିବୁ ଅରଜି ତେବେ ଖାଇବୁ ଗରଜି । (ବ୍ୟୟ ଆୟ ଉପରେ ନିର୍ଭରଶୀଳ ।)

୩୫/ ସମୁଦ୍ରକୁ ଶଙ୍ଖେ ପାଣି । (ପ୍ରୟୋଜନ ଅନୁସାରେ ଯୋଗାଣ ଅତି କମ୍ ହେବ ।)

୧/ ଅଳସୁଆର ବାରବାଟି ଚାଷ । (ଅଳସୁଆ ଓ ନିକମା ଲୋକର ଗାଲୁଗିରି ଓ ବୃଥା ପୌଢି ପ୍ରଦର୍ଶନ ।)


୨/ କାମ ନ ଥାଇ ମୁକୁର ସେବା । (କାମ ନ ଥିଲେ ଆରିଶି ଧରି ମୁହଁ ଦେଖିବା ବା ସେହିପରି ଅନ୍ୟ କୌଣସି ମୂଲ୍ୟହୀନ କାର୍ଯ୍ୟରେ ଅତିବାହିତ କରିବା ।)


୩/ କୁଟାଖଣ୍ଡକ ଦିଖଣ୍ଡ ନ କରିବା । (ଆଳସ୍ୟପରାୟଣ ଅର୍କମଣ୍ୟ ବ୍ୟକ୍ତି)


୪/ ଠାପୁଆ ବଳଦ ରକ୍ଷା ପାଏ, ଠାପୁଆ ମଣିଷ ନାଶ ଯାଏ ।


୫/ ନାଗିଖିଆକୁ ମାଗିଖିଆ ସରି ନୁହେଁ ।


୬/ ପାଗ ବାନ୍ଧୁ ବାନ୍ଧୁ କଚେରି ବରଖାସ୍ତ । (ଆଳସ୍ୟପରାୟଣ ଦୀର୍ଘସୂତ୍ରୀ ବ୍ୟକ୍ତି ପ୍ରତି ଆକ୍ଷେପୋକ୍ତି ।)


୭/ ପେଲିଲା କୁକୁର କି ପାରିଧି କରେ । (ବାଧ୍ୟବାଧକତାରେ କାର୍ଯ୍ୟ ସିଦ୍ଧ ହୁଏ ନାହିଁ ।)


୮/ ପୋଲା ଖିଆ, ମେଲା ଶୁଆ । (ଶ୍ରମ ନ କରି ଅନ୍ୟ ଉପରେ ନିର୍ଭର କରି ଚଳୁଥିବା ବ୍ୟକ୍ତି ।)


୯/ ବସିବାଠାରୁ କାଶିବା ଭଲ । (ଆଳସ୍ୟରେ ସମୟ ଅତିବାହିତ କରିବାଠାରୁ ସାମାନ୍ୟ କାର୍ଯ୍ୟ କରିବା ଭଲ ।)


୧୦/ ବସ୍ଲା ଲୋକ କସ୍ଲେ ମଲା, କସ୍ଲା ଲୋକ ବସ୍ଲେ ମଲା । (ସମ୍ବଲପୁର ଅଂଚଳରେ ପ୍ରଚଳିତ ।) ଉଦ୍ଯୋଗୀ ପୁରୁଷ ଆଳସ୍ୟରେ ବସିରହିଲେଏବଂ ସୁସ୍ଥୀ ଆଳସ୍ୟପରାୟଣ ଲୋକ କାର୍ଯ୍ୟ କଲେ ରୋଗାକ୍ରାନ୍ତ ହୁଅନ୍ତି ।


୧୧/ ମଠରେ ଖାଇ ଖଟରେ ଶୋଇବା । (ଉଦ୍ୟମହୀନ ଓ ଚିନ୍ତାଶୂନ୍ୟ ଭାବରେ କାଳଯାପନ କରିବା ।)


୧୨/ ମାଗି ଖାଏ ଯେ ଲାଗେ ନାହିଁ, ଲାଗି ଖାଏ ଯେ ମାଗେ ନାହିଁ । (ଭିକ୍ଷୁକ ଓ ପରିଶ୍ରମୀ ବ୍ୟକ୍ତିର ତୁଳନା)


୧୩/ ଯତ୍ନ କଲେ ରତ୍ନ ମିଳେ । (ଉଦ୍ଯୋଗ ସର୍ବସିଧ ଉନ୍ନତିର ମୂଳ ।)


୧୪/ ଯିଏ ଦୁଧ ଖାଇବ, ସେ ନାତ ସହିବ । (ସୁଖଭୋଗ କରିବାକୁ ହେଲେ, ପ୍ରଥମେ କଷ୍ଟ ସ୍ୱୀକାର କରିବାକୁ ପଡିବ ।)


୧୫/ ମୁଣ୍ଡ ଅରଜିଲେ, ତୁଣ୍ଡ ଖାଏ ।


୧୬/ ଯେଝା ହାତରେ ଯେ ଚଉଦପା । (ଆତ୍ମନିର୍ଭରଶୀଳ ହେବା-ସମସ୍ତଙ୍କ ସମକକ୍ଷ ହେବା ।)


୧୭/ ଯେତେ ଜଳକୁ ଯିବ, ସେତେ ଫଳ ପାଇବ । (ଶ୍ରମ ଓ ନିଷ୍ଠା ଅନୁଯାୟୀ ଫଳ ।)


୧୮/ ସଳଖ ସୁନ୍ଦର ଭେଣ୍ଡିଆଟିଏ, ହାତ ଗୋଡ ନାହିଁ ଖଣ୍ଡିଆଟିଏ । (ସବଳ ଓ ସୁନ୍ଦର ଅଥଚ ଅକର୍ମଣ୍ୟ ଆଳସ୍ୟପରାୟଣ ଲୋକ)


୧୯/ ହାତରେ ଖଡା ନ ସିଝିବା । (ଅତ୍ୟନ୍ତ ଅକର୍ମଣ୍ୟ ଲୋକ ।)


୨୦/ ହାତ ପାତିଲେ କି ଗଛରୁ ଫଳ ପଡିବ? (ବିନା ପରିଶ୍ରମରେ ଫଳଲାଭ ଅସମ୍ଭବ ।)


୨୧/ ହେଳା କଲେ ଭେଳା ବୁଡେ । (ଆଳସ୍ୟପରାୟଣତା ଓ ଉଦ୍ୟମହୀନତା ମନୁଷ୍ୟର ସର୍ବନାଶର ମୂଳ ।)


୨୨/ ଘିଅଖିଆ ଦିହ ତରଳିପଡୁଛି! (ବିନା ପରିଶ୍ରମରେ ଦେହରୁ ଝାଳ ବୋହୁଥିବା ଲୋକପ୍ରତି କଟାକ୍ଷ-ବଚନ ।)


୨୩/ ଚେଇଁ ଶୋଇବ ଯିଏ, ତାକୁ ଉଠାଇବ କିଏ?


୨୪/ ନିୟତ ଘେନି ବରକତ । (ନିଷ୍ଠା ଅନୁଯାୟୀ ମନୁଷ୍ୟ ପୁରସ୍କୃତ ହୋଇଥାଏ ।)


୨୫/ ଉଦ୍ୟମ କଲେ ସର୍ବସିଦ୍ଧି, ଜାଣିବ ଏହୁ ମହାନିଧି ।


୨୬/ ଆପଣା ଶିଙ୍ଗରେ ଭୂଇଁ ତାଡିବା । (ସ୍ୱାବଲମ୍ବୀ ହେବା ।)


୨୭/ ପାଇଟିକି ପାରିବି ନାହିଁ, ଖାଇବାରେ ହାରିବି ନାହିଁ । (ଅଳସୁଆ କର୍ମକୁଣ୍ଠ ଲୋକ ପ୍ରତି ପ୍ରଯୁଜ୍ୟ)

୧/ ମୂର୍ଖକୁ ଠେଙ୍ଗା ବୁଝାଏ । (କେବଳ ବଳ ପ୍ରୟୋଗ କରି ମୂର୍ଖ ଲୋକକୁ ସାବାଡ କରିବା ସମ୍ଭବ ।)


୨/ ମୂର୍ଖକୁ ମହାଦେବ ଡରନ୍ତି ।


୩/ ମୂର୍ଖଠାରୁ ଶୁଖିଲା କାଠ ସହସ୍ରେ ଗୁଣେ ଭଲ ।


୪/ ମୂର୍ଖ ପୁଅ ବିଧବା ଝିଅ, ବିନା ନିଆଁରେ ଦହନ୍ତି ଦେହ ।


୫/ ଅଳପ ଲୋକର ବହୁତ ଗରୁ, ଧଣ୍ଡ ସାପ ପ୍ରାୟ ଟେକନ୍ତି ମେରୁ । (ଅଳ୍ପ ଜ୍ଞାନୀ ଲୋକେ ବେଶି ବାହାଦୁରି ଦେଖାନ୍ତି ।)


୬/ ଅଳ୍ପ ବିଦ୍ୟା ଭୟଙ୍କରୀ ।


୭/ ଠାରରେ ଚେତଇ ପଣ୍ଡିତ ସୁଜନ, ମୂର୍ଖକୁ ଚେତାଏ ଗଳଦ (ତଂଟିଆ); ହଣାରେ ଚେତଇ କଦଳୀ ନଡିଆ, ଘଣାରେ ଚେତଇ ବଳଦ ।


୮/ ଫୁଲ ଯୋଗରୁ ଗଭା, ପଣ୍ଡିତ ଯୋଗୁଁ ସଭା ।


ରୋଗ ଓ ସ୍ୱାସ୍ଥ୍ୟ


୧/ ଖଣ୍ଡି ଖଣ୍ଡି କାଶ, ଖର ନିଃଶ୍ୱାସ-ସଖି ଗୋ, ମନ୍ଦ ଏ । (ଆସନ୍ନମୃତ୍ୟୁର ଲକ୍ଷଣ ।)


୨/ ଖାଇ ଶୋଇଲେ ବଢଇ ଆୟୁ, ଖାଇ ଧାଇଁଲେ ବଢଇ ବାୟୁ, ଖାଇ ବସିଲେ ବଢଇ ପେଟ, ଖାଇ ଖାଇଲେ ଯମର ଭେଟ ।


୩/ ଖାଇବ ସଅଳ, ଶୋଇବ ଆଗେ, ଉଠିବ ସଅଳ, ଚାଲିବ ବେଗେ ।


୪/ ଗୋରସ ଆମିଷ, ଏକାଠେଇଁ ବିଷ ।


୫/ ଛ’ ମାସର ବଳ, ଦିନକର ଜର । (ଦିନକର ଜରରେ ଛ’ ମାସର ସଂଚିତ ବଳ ଚାଲିଯାଏ ।)


୬/ ଛେଳି ମାଉଁସ ବାତକୁ ଭଲ, ଭାତକୁ ଭଲ । (ଦୁଇ ଉଦ୍ଧେଶ୍ୟ ସାଧନକାରୀ ଏକ ବିଷୟ ।)


 ୭/ ନିଦ ନ ଜାଣେ କଂଟାବୁଦା, ଭୋକ ନ ଜାଣେ କଂଚାପୋଡା ।


୮/ ପିତା ତିଉଣ, ଦିହକୁ ଗୁଣ ।


୯/ ଦାରୁ ପାରେ ନାହିଁ, ଦୂବ ପାରେ । (ବଡ ବଡ ଦାମିକା ଔଷଧରେ ଯେଉଁ ରୋଗ ଭଲ ହୁଏ ନାହିଁ, ତାହା ସାମାନ୍ୟ ଔଷଧରେ ବେଳେ ବେଳେ ଭଲହୋଇଯାଏ ।


୧୦/ ବାଉଁଶ ଫୁଲିଲେ ମରେ, ମଣିଷ ବୁଲିଲେ ମରେ ।


୧୧/ ଭୋକ ରଖି ଖା, ଭୋକ ଦେଖି ଖା, ଚଉଷଠି ରୋଗର ପାଶେ ନ ଯା ।


୧୨/ ମଳୁ ଖୋଜୁଥିଲା କାକର ପାଣି, ବଇଦ ବୋଇଲା ଦେ ତୋରାଣୀ । (ଦୁଶ୍ଚିକିତ୍ସାର ଏକ ଦୃଷ୍ଟାନ୍ତ ।)


୧୪/ ହାତ ନୁଡୁବୁଡୁ କହୁଣି ଖାଏ, ଜିଭ ନୁଡୁବୁଡୁ ହଗି ଧାଏଁ ।


୧୫/ ରୋଗକୁ ମାରିବ ନୂଆ ବେଳୁ, ବାଲୁଙ୍ଗା ମାରିବ ପୁଆ ବେଳୁ ।

୧/ କାଉ ବସାରେ କୋଇଲି ଡିମ୍ବ ଦେଇ ନିଶ୍ଚିନ୍ତ ହେବା । (କୋଇଲି ନିଜେ ଡିମ୍ବ ଫୁଟାଇ ପାରେ ନାହିଁ । ସେ ତାହାର ଡିମ୍ବକୁ କାଉ ବସାରେ ରଖି ଦେଇ ଆସେ ଏବଂ କାଉ ଉକ୍ତ ଡିମ୍ବକୁ ନିଜର ଡିମ୍ବ ବିଚାରି ଫୁଟାଏ । ଅନ୍ୟର ଅଜାଣତରେ ନିଜର ଦାୟିତ୍ୱ ଅନ୍ୟ ଉପରେ ଅର୍ପଣ କରି ନିଜେ ନିଶ୍ଚିନ୍ତ ରହିବା ।)


୨/ ଠାକୁର ଘରେ କିଏ ରେ – ନାଁ ମୁଁ କଦଳୀ ଖାଇନାହିଁ । (ଚୋରକୁ କେହି ପ୍ରଶ୍ନ କରିବା ଆଗରୁ ସେ ନିଜର ନିର୍ଦୋଷତା ପ୍ରମାଣ କରିବା ନିମିତ ଆଗ ବଳି କଥା କହି ଧରାପଡିବା ।)


୩/ ଆପଦ ପଡିଲେ ଗୋସେଈଁଙ୍କୁ ଡାକରା । (ଯେଉଁ ଲୋକ ତାହାର ହିତାକାକ୍ଷୀ ବନ୍ଧୁମାନଙ୍କୁ ଅନ୍ୟ ସମୟରେ ପଚାରେ ନାହିଁ ଅଥଚ ବିପଦବେଳେ ସେମାନଙ୍କର ଦ୍ୱାରସ୍ଥ ହୁଏ ।)


୪/ ଆରେ ରେ, ଯେତେବେଳେ ଯେ । (ସୁବିଧାବାଦୀ ବ୍ୟକ୍ତି ।)


୫/ ଏକ ତୁଣ୍ଡରେ ଉଆ ଉଷୁନା । (ଜଣେ ଲୋକ ଗୋଟିଏ ପ୍ରକାର କଥା କହି ଭିନ୍ନ ସମୟରେ ବିପରୀତ ମତ ପୋଷଣ କରିବା ।)


୬/ ଏକା ଲାଉର ମଞ୍ଜି । (ସମାନ ସ୍ୱଭାବବିଶିଷ୍ଟ ବ୍ୟକ୍ତି ।)


୭/ ଏ ଘର ମାଉସୀ, ସେ ଘର ପିଉସୀ । (ଯେଉଁ ଲୋକ ଉଭୟ ପକ୍ଷରେ ଥାଏ ।)


୮/ କଙ୍କଡାକୁ ଗୋଳି ପାଣି ସୁହାଏ । (ଅସାଧୂ ବ୍ୟକ୍ତି ଗୋଳମାଳିଆ କାରବାରକୁ ଭଲପାଏ ।)


୯/ କହେ ଯେ କରେ ନାହିଁ, କରେ ଯେ କହେ ନାହିଁ ।


୧୦/ କହି କମଳୀ । (ଯେଉଁ ସ୍ତ୍ରୀଲୋକ କେବଳ ବଡ ବଡ କଥା କହେ; କିନ୍ତୁ କାର୍ଯ୍ୟରେ କିଛି ବି କରେ ନାହିଁ ।)


୧୧/ କହୁ ଯେଡେ, ନୋହୁ ତେଡେ । (ଯାହାର କଥା ଓ କାର୍ଯ୍ୟରେ ସାମଞ୍ଜସ୍ୟ ନାହିଁ ।)


୧୨/ କଂସାରି ଘର ପାରା, ତାକୁ କୁଲା ଢାଉଁ ଢାଉଁ ଡରା । (ନିର୍ଭୀକ ଅଭିଜ୍ଞ ବ୍ୟକ୍ତି ସାମାନ୍ୟ ଭୟ ପ୍ରଦର୍ଶନରେ ଭୀତ-ଚକିତ ନ ହେବା ।)


୧୩/ କାଉ କୋଇଲି ଏକା ବର୍ଣ୍ଣ, ରାବବେଳେ ଭିନ୍ନ ଭିନ୍ନ । (ଲୋକର ପ୍ରକୃତି ତାହାର ଚେହେରାରୁ ନୁହେଁ, ବରଂ ତାହାର କାର୍ଯ୍ୟ ଓ ବ୍ୟବହାରରୁ ହିଁ ଜଣାଯାଇଥାଏ ।)


୧୪/ କାଉଁରିଆ କାଠି, ଭାଙ୍ଗିବ ପଛକେ ନଇଁବ ନାହିଁ । (ଦୃଢପ୍ରତିଜ୍ଞ ଟାଣୁଆ ଲୋକ)


୧୫/ କାଲିକା ଯୋଗୀ, ମୁଣ୍ଡରେ ଜଟା । (ଅନଭିଜ୍ଞ ବ୍ୟକ୍ତି ବଡ ବଡ କଥା ଶୁଣାଇଲେ ଏହି ଉପମା ଦିଆଯାଏ ।)


୧୬/ କାଲି ତରକା ପାଇଛି, ନିଦରୁ ଉଠି ଧାଇଁଛି । (ପୂର୍ବ ଅନୁଭୂତିରୁ ସାବଧାନ ହେବା ।)


୧୭/ କାହାର ଘର ପୋଡେ, କିଏ ନିଆଁ ପୁଆଁଏ । (ଜଣକର ବିପଦରୁ ଅନ୍ୟ ଜଣେ ଲାଭ ଉଠାଇବା ।)


୧୮/ କୁମ୍ଭୀରକୁ ଗୋଳିଆ ପାଣି ସୁହାଏ । (କୁମ୍ଭୀର ଗୋଳିଆ ପାଣିରେ ଆତ୍ମଗୋପନ କରି ଶିକାରକୁ ଧରିବାକୁ ଚେଷ୍ଟା କରେ । ସେହିପରି ଅସାଧୂ ବ୍ୟକ୍ତି ଗୋଳମାଳିଆ ପରିସ୍ଥିତିର ସୁଯୋଗ ନେଇ ଲାଭ ଉଠାଏ ।)


୧୯/ କୁଆ କାନ ନେଇଗଲା ବୋଲି ଶୁଣି, କାନ ନ ଦେଖି କୁଆ ପଛରେ ଗୋଡାଇବା । (ଶୁଣାକଥାରେ ଭୁଲିଯାଇ କାର୍ଯ୍ୟ କରିବା ।)


୨୦/ କୁମ୍ଭାର ବଳଦ ମାଟି ଗାଡିଆ ପର୍ଯ୍ୟନ୍ତ । (କୁମ୍ଭାର ଘର ବଳଦ ପରି ଯାହାର କାର୍ଯ୍ୟର ପରିସର ଅତ୍ୟନ୍ତ ସୀମାବଦ୍ଧ ।)


୨୧/ କୂଅରେ ବେଙ୍ଗ ପଡିଲେ ସମସ୍ତେ ଟେକାଏ ଟେକାଏ ମାରନ୍ତି । (କୌଣସି ବ୍ୟକ୍ତିର ଅସହାୟ ଅବସ୍ଥାର ସୁଯୋଗ ନେଇ ତା ପ୍ରତି ଅତ୍ୟାଚାର କରିବା ।)


୨୨/ ଖାଇ ନିନ୍ଦା ପତରହଗା । (ଅକୃତଜ୍ଞ ବ୍ୟକ୍ତି ।)


୨୩/ ଗରଜିଲା ବାଘ କି ମଣିଷ ଖାଏ! (ଯେଉଁମାନେ ମୁହଁରେ କଡା କଡା କଥା କହନ୍ତି ସେମାନଙ୍କ ଅନ୍ତର ନିଷ୍ଠୁର ନୁହେଁ ।)


୨୪/ ଗିଧର ଦୃଷ୍ଟି ସହସ୍ର କୋଶ । (ଶାଗୁଣା, ବହୁଦୂରରୁ ମଢର ସନ୍ଧାନ ପାଇଲା ପରି ଲୋଭୀ ଲୋକର ଦୃଷ୍ଟି ଦୂରପ୍ରସାରୀ ଅଟେ ।)


୨୫/ ଗୁହ କୁଟା ଆଣି ଘରେ ପୂରାଇବା । (ଅତିଶୟ ଲୋଭ ।)


୨୬/ ଗୋରୁ ଲାଙ୍ଗୁଡ ଧରି ବୈତରଣୀ ପାର ହୋଇଯିବା । (ପହଁରା ଜାଣି ନଥିବା ଲୋକ ଗୋରୁଲାଞ୍ଜଧରି ନଦୀ ପାର ହୋଇଯିବା ପରି ଅନ୍ୟ ଆଶ୍ରା ଧରି ଉଦ୍ଧାର ପାଇଯିବା ।)


୨୭/ ଗୋରୁମୁଣ୍ଡ ଥାପି କପା ତୋଳିବା । (ବନ୍ୟଜନ୍ତୁମାନଙ୍କୁ ହୁରୁଡାଇବା ପାଇଁ ଗୋରୁମୁଣ୍ଡ ଥାପିଲାପରି ଅନ୍ୟକୁ ଆଗରେ ଥୋଇ ନିଜର ସ୍ୱାର୍ଥ ସାଧନ କରିଯିବା ।)


୨୮/ ଗୋରୁ ମାରି ଶାଗୁଣା ପୋଷିବା । (ଉପକାରୀ ବ୍ୟକ୍ତିର ଅନିଷ୍ଟ ସାଧନ କରି ଅପକାରୀ ବ୍ୟକ୍ତିର କଲ୍ୟାଣ ସାଧନ କରିବା ।)


୨୯/ ଘରମୁହାଁ, ଚୋରମୁହାଁ, ମାଈମୁହାଁ, ଭାତ ମୁହାଁ; ଏ ନୁହଁନ୍ତି କାହାଁ । (ଏମାନେ ଜୀବନରେ ଉନ୍ନତି କରିପାରନ୍ତି ନାହିଁ ।)


୩୦/ ଘୁଷୁରିକି କାହିଁ ପାଚିଲା କଦଳୀ, ଅନ୍ଧ ହାତେ ରତ୍ନ ମୁଦି,


         ପେଚା ଚଢେଇକି ସୁବର୍ଣ୍ଣ ପଞ୍ଜୁରୀ, କୋରଡ ସୁମରି କାନ୍ଦି । (ଅଯୋଗ୍ୟ ବ୍ୟକ୍ତି ହାତରେ ମୂଲ୍ୟବାନ୍ ବସ୍ତୁ ଅର୍ପଣ କଲେ ସେ ତାର ମୂଲ୍ୟ ଆଦୌ ବୁଝେନାହିଁ ।)


୩୧/ ଚତୁରେ ଚତୁରେ କୋଳାକୋଳି । (ଦୁଇ ଚତୁର ବ୍ୟକ୍ତିଙ୍କର ଛଳନାପୂର୍ଣ୍ଣ ମିଳନ ।)


୩୨/ ଚରଣଚୁଟିଆ ପ୍ରକୃତି । (ତୋଷାମଦକାରୀ ବ୍ୟକ୍ତି ।)


୩୩/ ଚାରିଦଉଡି କଟା । (ସମସ୍ତ ସମ୍ପର୍କ ଚ୍ଛିନ୍ନକରିଥିବା ବ୍ୟକ୍ତି ।)


୩୪/ ଚାରିଦଉଡିକଟାଙ୍କର ସଂସାରରେ କାହାରିକି ବି ଡରନାହିଁ । (ସଂସାରର ସମସ୍ତ ସମ୍ପର୍କ ଚ୍ଛିନ୍ନକରିଥିବା ଲୋକ କାହାରିକି ବି ଭୟ କରେ ନାହିଁ ।)


୩୫/ ଛେନା ଗୁଡଖିଆ ମାଦଳ ବଜା । (ଚିନ୍ତାଶୂନ୍ୟ ସୁଖୀ ଲୋକ ।)


୩୬/ ଛୋଟ ମୁହେଁ ବଡ କଥା । (ଅଶୋଭନୀୟ)


୩୭/ ଛୋଟଲୋକର ଛୋଟକଥା ।


୩୮/ ଜଗତି ଉପରେ ବସିଲେ କୁଆ, ଗରୁଡ ବୋଲି କି ହୋଇବ କୁହା? (ନୀଚପ୍ରକୃତିର ଲୋକ ଯେଡେ ପଦବୀ ପ୍ରାପ୍ତ ହେଲେ ମଧ୍ୟ ତାର ପ୍ରକୃତିର ପରିବର୍ତ୍ତନ ହୁଏ ନାହିଁ ।)


୩୯/ ଅଲାଜୁକ ଗଲା ମରିବାକୁ, ତାକୁ ତିନି ଜଣ ଗଲେ ଧରିବାକୁ । (ନିର୍ଲଜ୍ଜ ବ୍ୟକ୍ତି)


୪୦/ ଢିଙ୍କି ଶାଳ କଥା ନ ଜାଣି ଢେଙ୍କାନାଳ କଥା କହିବା । (ଘରକଥା ନ ଜାଣି ଦୂର ଦେଶରେ କଥା କହୁଥିବା ।)


୪୧/ ଢୋଲ ଖାଏ ମାଡ, ହାଡି ଖାଏ କଉଡି । (ଜଣେ କଷ୍ଟ ଭୋଗ କରିବା ଏବଂ ଆଉ ଜଣେ ସେହି କଷ୍ଟର ସୁଖମୟ ଫଳ ଭୋଗ କରିବା ।)


୪୨/ ତୋର ଦେଖି, ମୋର ଡେଇଁଲା ଡାହଣ ଆଖି । (ଅନ୍ୟର ଶ୍ରୀବୁଦ୍ଧି ଦେଖି ଲାଳାୟିତ ହେବା ।)


୪୩/ ଦାଣ୍ଡ କଳି ଘରକୁ ଆଣିବା ।


୪୪/ ଦିହରେ ପାଳ ବଡିଆ ବାନ୍ଧି ବଡ ହେବା । (ଦୁର୍ବଳ ବୃକ୍ତି ଦେହରେ ପାଳ ବଡିଆ ଗୁଡାଇ ସବଳ ଦେଖାଯିବାପାଇଁ ଚେଷ୍ଟା କରିବା ପରି ଅଯୋଗ୍ୟ ବ୍ୟକ୍ତିକୁ ଅଯଥା ପ୍ରଶଂସାକରି ଯୋଗ୍ୟ ବୋଲି ପ୍ରତିପାଦିତ କରାଇବାର ହାସ୍ୟାସ୍ପଦ ଚେଷ୍ଟା ।)


୪୫/ ଦୁଧ ଉତୁରିଲେ ଚୁଲିକୁ, ମଣିଷ ଉତୁରିଲେ ଗାତକୁ । (ଦୁଧ ହାଣ୍ଡିରୁ ଉତୁରି ପଡି ନଷ୍ଟ ହେବାପରି ଗର୍ବସ୍ଫୀତ ଲୋକ ବିନାଶ ପ୍ରାପ୍ତ ହୁଏ ।)


୪୬/ ଦେଖା ସୁନ୍ଦର କଖାରୁ ବଡି । (ବେଶଭୂଷା ଓ ଆକୃତିରୁ ବାହାରକୁ ଯୋଗ୍ୟ ବ୍ୟକ୍ତି ପରି ଦେଖାଯିବା ପ୍ରକୃତ ଯୋଗ୍ୟ ବ୍ୟକ୍ତି ନୁହେଁ ।)


୪୭/ ପାଣି ଯୁଆଡେର । (ସୁବିଧାବାଦୀ ଛତା ସେଆଡେ ଲକ୍ଷଣ ।)


୪୮/ ପୁଅ କେତେ କରୁଥାଇ ଚାତର, ବାପ ବିକୁଥିଲା ଚିଙ୍ଗୁଡି ଶୁଖୁଆ, ମା’ ବିକୁଥିଲା ପତର । (ଦରିଦ୍ର ପରିବାରର ଜନ୍ମଗ୍ରହଣ କରିଥିବା ବ୍ୟକ୍ତି ଚାତର କରିବା ।)


୪୯/ ପୁଅ ନାହିଁ ପୁଅ ପେଟରେ, ପୁଅର ବାପ ଖଡୁ ଗଢାଉଛି ଗୋପାଳପୁର ହାଟରେ । (ଅନିଶ୍ଚିତ ଭବିଷ୍ୟତ ପାଇଁ ଆୟୋଜନ ।)


୫୦/ ପୋତାମୁହାଁ ମଣିଷ, ପୋତାମୁହାଁ ବଳଦ-ସଖି ଗୋ, ମନ୍ଦ ଏ ।


୫୧/ ବତେଇ ଦିଏ ପରକୁ, ବୁଦ୍ଧି ନ ଆସଇ ଘରକୁ ।


୫୨/ ବାଘର ପୁଣି ଗୋ-ବଧରେ ପ୍ରାୟଶ୍ଚିତ ବିଧି । (ଭଣ୍ଡତା)


୫୩/ ବିଲେଇ ହାତରେ ମାଛ କେଳେଇବା । (ଖାଦକ ହସ୍ତରେ ଖାଦ୍ୟର ରକ୍ଷଣାବେକ୍ଷଣା ଦାୟିତ୍ୱ ନ୍ୟସ୍ତ କରିବା ।)


୫୪/ ବିଷମ ଲୋକର ହଡା, ତାକୁ ଥିରି କରି ଓଡା । (ଦୁଷ୍ଟ ଲୋକର ଜିନିଷକୁ ଅତି ସାବଧାନତାର ସହିତ କାରବାର କରିବାକୁ ହୋଇଥାଏ ।)


୫୫/ ଭଲ ବେଳକୁ ସମସ୍ତେ, ମନ୍ଦବେଳକୁ କେହି ନୁହଁନ୍ତି ।


୫୬/ ମାଇଲା ଘରେ ଭୂତ ନ ପଶେ । (ଦୁଷ୍ଟ ଲୋକକୁ ଭୂତ ମଧ୍ୟ ଭୟ କରେ ।)


୫୭/ ମାଈଁ ଗୋ ମାଈଁ, ପସରାଯାକ ତୋର, ଛୁଇଁବୁ ନାହିଁ । (ମୁହଁରେ କହିଲେ ମଧ୍ୟ କାର୍ଯ୍ୟତଃ କୌଣସି ଅଧିକାର ନ ହେବା ।)


୫୮/ ମାରିନେଲେ ମହାପାତ୍ରେ, ଚାହିଁଥିଲେ ଜଳକା । (ଜଣେ ଚାହିଁରହିଥିବା ବେଳେ ଅନ୍ୟ ଜଣେ ଲୁଟି ଖାଇଯିବା ।)


୫୯/ ମୁଁ ତ ଖାଏ ମୋର ଭାତ, ତୋର କିଆଁ ଗାଲରେ ହାତ । (ଈର୍ଷାପରାୟଣ ବ୍ୟକ୍ତି ପ୍ରତି କଟାକ୍ଷ ବଚନ ।)


୬୦/ ମୁହେଁ ମୁହେଁ ମୁହାଁଣ, ପଛ କଲେ ନିରାଶ । (ମୁହଁ ଉପରୋଧକୁ ହଁ-ହାଁ- ମାରି ପଛକୁ ନିରାଶ କରିବା ।)


୬୧/ ମୋର ନିଶ ନାହିଁ ମୋ ଭାଇର ନିଶ ଅଛି । (ଶକ୍ତିହୀନ ବ୍ୟକ୍ତିର ନିଜ ଭାଇ ବିରାଦରଙ୍କର କ୍ଷମତା ଓ ପ୍ରତିପତିକୁ ଆଳ କରି ବୃଥା ଗର୍ବ ପୋଷଣ କରିବା ।)


୬୨/ ଯାଗ ଦେଖି ଯାଇ, ଦେଉଳେ ପରିଛାପଣ କରିବା । (ଅନଧିକାର ଚର୍ଚ୍ଚା ।)


୬୩/ ରାଣ୍ଡୀ ପୁଅ ଅନନ୍ତା । (ଅଭିଭାବକଶୂନ୍ୟ ବେପରୁଆ ଯୁବକ ।)


୬୪/ ଶାଗଖିଆକୁ ପେଜପିଆ ଦେଖି ନ ପାରିବା । (ଏକ ଦରିଦ୍ର ବ୍ୟକ୍ତି ଅପର ଦରିଦ୍ର ବ୍ୟକ୍ତି ପ୍ରତି ଈର୍ଷା ପୋଷଣ କରିବା ।)


୬୫/ ହଡା ବେଦନା କୁଆ ନ ଜାଣେ, ଠକ ଠକ କରି ଠେଙ୍ଗୁଣି ହାଣେ । (ନିଜର ସ୍ୱାର୍ଥ ସାଧନରେ ବୁଡିରହି ଦୁଃଖ ନ ବୁଝିବା ।)


୬୬/ ହସନ୍ତି ମନରେ ନ ଥାଏ ଦୟା, ହୃଦୟ ଭିତରେ କରନ୍ତି ମାୟା, ହେରେଷା ବୋଲିଣ ତାହାକୁ କହି, କହେ ଦନାଇ ଏକଥା ନୁହଁଇ ।


୬୭/ ହାତରେ ନାହିଁ ଧନ, ରାଜା ଝିଅକୁ ମନ (ନିର୍ଦ୍ଧନ ବ୍ୟକ୍ତିର ଉଚ୍ଚାଶା ପୋଷଣ ।)


୬୮/ ହାତୀ କାଦୁଅରେ ପଡିଲେ ବେଙ୍ଗ ଗୋଇଠାମାରେ । (ସବଳ ବ୍ୟକ୍ତି ଅକଳରେ ପଡିଥିବାବେଳେ ଅତି ଦୁର୍ବଳ ବ୍ୟକ୍ତି ମଧ୍ୟ ତାର ପ୍ରତିଶୋଧ ନିଏ ।)


୬୯/ ଲୁଚିଛି ନାଁ ଗୋଡ ଦିଓଟି ଦିଶୁଛି । (ଯେତେ ଘୋଡାଇଲେ ମଧ୍ୟ ଲୋକର ଦୋଷତ୍ରୁଟି ପଦାକୁ ଫୁଟି ବାହାରେ ।)


୭୦/ ବୁଝି ବିଚାରି କାର୍ଯ୍ୟ କଲେ, ପ୍ରମାଦ ନ ପଡଇ ଭଲେ । (ବିଚାରବନ୍ତ ଲୋକ ବିପଦରେ ପଡେ ନାହିଁ ।)


ଶାସନ ଓ ଶୃଙ୍ଖଳା

୧/ ଉଂଚାଇଥିବୁ ମାରିବୁ ନାହିଁ, ଗୋଡାଇଥିବୁ ଧରିବୁ ନାହିଁ । (ଲୋକମାନଙ୍କୁ ଶାସନ କରିବାର ପ୍ରକୃଷ୍ଟ ଉପାୟ ।)


୨/ ଏକ କାନରୁ ଦୁଇ କାନ ହେଲେ ମନ୍ତ୍ରଭେଦ । (କୌଣସି ଗୁପ୍ତତଥ୍ୟ ଜଣକରୁ ଅଧିକ ଲୋକର କାନରେ ପଡିଲେ କଥାଟା ଫୁଟି ଚାରିଆଡେ ପ୍ରଘଟ ହୋଇଯାଏ ।


୩/ ଏ ବର୍ଷର ମାଗଣ ଆର ବର୍ଷକୁ କର ।


୪/ ଘଡିକ ହାକିମୀ ପାହାଡ ତୋଡେ । (ଅଳ୍ପକାଳ କ୍ଷମତାରେ ଥିବା ଲୋକ ତାର ପ୍ରତାପ ଦେଖାଇବା ପାଇଁ ଚେଷ୍ଟାକରେ ।)


୫/ ଗୋଦରା କୋଡେ ଯେତେ ମାଡେ ସେତେ । (ଗୋଟିଏ ଦିଗରୁ କାର୍ଯ୍ୟରେ ଅଗ୍ରଗତି ହେଉଥିବା ବେଳେ ଅସାବଧାନତା ବା ଅପାରଗତାରୁ ସେଥିରେ ଅନ୍ୟ ଦୃଷ୍ଟିରୁ ବହୁତ ଦୋଷ ତ୍ରୁଟି ରହି ଯିବା ।)


୬/ ଆରେ ଢମଣା, ବୁଲି ବୁଲି ସେହି ଅଗଣା । (କୌଣସି ନୂତନ ପଦକ୍ଷେପ ନେବାରେ ଅସମର୍ଥ ହେବା ।)


୭/ ଦୁଷ୍ଟକୁ ବୁଝାଏ ଠେଙ୍ଗା ।


୮/ ନାକ କାଟିଲେ ମୁହଁରେ ପଡେ ।


୯/ ନାହିରେ ତେଲ ଦେଇ ଶୋଇବା । (ନିଶ୍ଚିନ୍ତ ହୋଇ ରହିବା ।)


୧୦/ ବହୁ ମଣିଷରେ ମୂଷା ମରେନାହିଁ ।


୧୧/ ଭୁକିଲା କୁକୁର କାମୁଡେ ନାହିଁ । (ଯେଉଁମାନେ କଥାରେ ବେଶି ଗର୍ଜନ-ତର୍ଜନ କରନ୍ତି, ସେମାନେ କାର୍ଯ୍ୟତଃ ବେଶି ଅନିଷ୍ଟ କରନ୍ତି ନାହିଁ ।)


୧୨/ ମାଡକୁ ମହାଦେବ ଡରନ୍ତି । (ବଳପ୍ରୟୋଗକୁ ସମସ୍ତେ ଭୟ କରନ୍ତି ।)


ଶିକ୍ଷା ଓ ସଂସ୍କୃତି


୧/ ନକଲରେ ଅକଲ କି? (ମୌଳିକତା ନ ଥାଇ ଅନ୍ଧ ଅନୁକୃତି ସମାଜରେ ଆଦୃତ ହୁଏ ନାହିଁ ।)


୨/ ପଦା ଭୁଇଁରେ ଗବ ଦାରୁ । (ମୂର୍ଖ-ରାଜ୍ୟରେ ଅଳ୍ପ ପାଠୁଆଲୋକ ମହାପଣ୍ଡିତ ରୂପେ ପରିଗଣିତ ହୋଇଥାଏ ।)


୩/ ପାଠ ଦେଖାଏ ବାଟ ।


୪/ ପୋଥିଗତ ବିଦ୍ୟା, ପରହସ୍ତ ଧନ । (ଉଭୟ କୌଣସି କାର୍ଯ୍ୟରେ ଲାଗେନାହିଁ ।)


୫/ ପୋଥିରେ ଡୋର ବନ୍ଧାହେବା । (ଶିକ୍ଷା ସମାପ୍ତି)


୬/ ଯାହା ନାହିଁ ଭାରତେ, ତାହା ନାହିଁ ଜଗତେ । (ମହାଭାରତ ଗ୍ରନ୍ଥରେ ଭାରତବର୍ଷ ସଭ୍ୟତା, ସଂସ୍କୃତି, ଚାଲିଚଳନ ଆଦି ସବୁ ବିଷୟରେ ବର୍ଣ୍ଣନା ଅଛି ।)


ସମାଜଚିତ୍ର ଓ ସାମାଜିକ ମୂଲ୍ୟବୋଧ


୧/ କହିବା ଲୋକ ବଡ ନୁହେଁ, ସହିବା ଲୋକ ବଡ ।


୨/ ତୁଳସୀ ଗଛ ଖତକୁଢରେ ଥିଲେ ମଧ୍ୟ ଶୁଦ୍ଧ । (ନୀଚ କୁଳଜାତ ପ୍ରତିଭାବାନ୍ ବ୍ୟକ୍ତି ସର୍ବଦା ପୂଜନୀୟ ।)


୩/ ଦଳେଇ ଅଇଲେ ମୂଳରୁ ଗା । (କୌଣସି ବିଶିଷ୍ଟ ବ୍ୟକ୍ତିର ଉପସ୍ଥିତ ହେତୁ କଥିତ ବିଷୟର ପୁନରାବୃତି କରିବା ।)


୪/ ଦାଉ ସାଧିବ ବେଳ ଦେଖି । (ସୁବିଧା ଦେଖି ପ୍ରତିଶୋଧ ନେବା ।)


୫/ ଦୀପତଳ ଅନ୍ଧାର । (ଯେଉଁଠି ସଭ୍ୟତାର ଚରମ ବିକାଶ; ତାର ଅତି ନିକଟରେ ଘୋର ଦାରିଦ୍ର୍ୟ ବା ଅସଭ୍ୟତାର ନିଦର୍ଶନ ଦେଖିବାକୁ ମିଳିଥାଏ ।)


୬/ ଧନ ଯେଉଁଠି, ମନ ସେଇଠି । (ଆମ ସମାଜରେ ସମସ୍ତେ ଧନ ପଛରେ ହିଁ ଗୋଡାଇବାର ଦେଖାଯାଏ ।)


୭/ ଧୋବଧାଉଳିଆ ଚୋରି କରନ୍ତି, ରଙ୍କୁଣୀ ଦେଖିଲେ ମାରି ଗୋଡାନ୍ତି । (ଗରିବ ଉପରେ ସମସ୍ତେ ଜୁଲୁମ୍ କରନ୍ତି ।)


୮/ ନାନା ମୁନିଙ୍କର ନାନା ମତ । (ସମାଜରେ କୌଣସି ବିଷୟରେ ବିଭିନ୍ନ ମତ ପ୍ରକାଶ ପାଇଥାଏ ।)


୯/ ଭୂତ ହୋଇ ଲାଗିବା, ଗୁଣିଆ ହୋଇ ଝାଡିବା ।


୧୦/ ମାରେ ସିପାହି, ନାମ ସର୍ଦ୍ଦାରର । (ହିନ୍ଦୀ ପ୍ରବଚନର ଅନୁବାଦ ।)


୧୧/ ଶୋଇଲା କୁକୁର ଭୋକିଲା ରହେ । (ନିଜର ଦାବି ଉପସ୍ଥାପିତ ନ କଲେ କେହି ବି ଯାଚି କରି ଦିଅନ୍ତି ନାହିଁ ।)


୧୨/ ସାତ ପାଂଚଙ୍କ ଠେଙ୍ଗା ଏକ ଜଣକୁ ବୋଝ ।


୧୩/ ସ୍ୱର୍ଗକୁ ନିଶୁଣି ନାହିଁ, କି ବଡଲୋକକୁ ଉତ୍ତର ନାହିଁ । (ଧନୀ ଓ ପ୍ରତିପତିଶାଳୀ ଲୋକର ପ୍ରତିରୋଧ କରିବା ସାଧାରଣ ଲୋକ ପକ୍ଷରେ ଆଦୌ ସମ୍ଭବ ନୁହେଁ ।)


୧୪/ ହାତୀ ଚାଲେ ବଜାର, କୁକୁର ଭୁକେ ହଜାର । (ଦାରିଦ୍ର୍ୟ ଓ ଦୁର୍ବଳ ଲୋକଙ୍କ ପ୍ରତିରୋଧକୁ ଧନୀ ଓ ପ୍ରତିପତିଶାଳୀ ଲୋକେ ଜମା ଖାତିର କରନ୍ତି ନାହିଁ ।)


ହାସ୍ୟ ଓ ବ୍ୟଙ୍ଗ 


୧/ ଗୋଟିକଯାକ ତୁଳସୀ । (ବହୁଦୋଷଯୁକ୍ତ ବ୍ୟକ୍ତି ପ୍ରତି ବ୍ୟଙ୍ଗୋକ୍ତି ।)


୨/ ଛାଇକି ଛତା ପାଣିକି ଜୋତା । (ହାସ୍ୟାସ୍ପଦ କଥା ।)


୩/ ଜାଣି ଘୋଡାର ଶିଙ୍ଗ ନାହିଁ, ଶିଙ୍ଗ ଥିଲେ ଘୋଡା ରଖନ୍ତା ନାହିଁ ।


୪/ ଦଣ୍ଡବତ ମାଳମାଳ ଖଡାପତ୍ର ନ ଦିୟତେ । (ମୁହଁରେ ଭକ୍ତି ଦେଖାଇ କାର୍ଯ୍ୟତଃ କିଛି ବି ନ ଦେବା ।)

No comments:

Post a Comment