Sunday 20 November 2022

ମୁଁ ଜଣେ ଓଡ଼ିଆ ବୋଲି ଗର୍ବିତ /I AM PROUD OF BEING AN AN ODIA.

 


କେହିଜଣେ 'ମୁଁ ଓଡିଆ'ର ସୁନ୍ଦର ବର୍ଣ୍ଣନା କରିଛନ୍ତି

*"ମୁଁ ଜଣେ ଓଡ଼ିଆ"* ଲେଖାଟି ଖୁବ୍ ଉଚ୍ଚ କୋଟୀର ହୋଇଛି। ଏହାକୁ ନିଶ୍ଚିତ ଶେଷଯାଏ ପଢ଼ନ୍ତୁ। 


(କ) ''ମୁଁ ଜଣେ ଓଡ଼ିଆ" ; ପୃଥିବୀର ଯେ କୌଣସି ସ୍ଥାନରେ ଠିଆହୋଇ ଏହା କହିବାରେ ଖୁବ୍ ଆନନ୍ଦ ଅଛି। *ପୃଥିବୀର କୋଡ଼ିଏଟି ସମୃଦ୍ଧ ସଭ୍ୟ ସୃଜନ ଭାଷା ଭିତରୁ ମୋ ଭାଷା ଗୋଟିଏ।* ପୃଥିବୀର ଯେ କୌଣସି ଗୌରବମୟ ସଂସ୍କୃତି ମଧ୍ୟରୁ ମୋ *ସ°ସ୍କୃତି* କେବଳ ଗୋଟିଏ ନୁହେଁ ! ମୋର *ସ୍ଥାନ ସ୍ଵତନ୍ତ୍ର।* *ସ୍ଵତନ୍ତ୍ର କଳାର ସୃଜନ (ଉତ୍କଳ)* ହେତୁ ପଥର ନିହାଣରେ କିମ୍ବଦନ୍ତି ଗଢ଼ିଛି। ବିଶ୍ଵ ନୃତ୍ୟମାନସରେ *ମୋ ନୃତ୍ୟ ଏକ ଉତ୍ତରଣ ଭୂମିରୁ ଭୂମାଆଡ଼େ* ; ଆଉ ସବୁ ନୃତ୍ୟକୁ ଏହା କହେ : *ନୃତ୍ୟର ଛନ୍ଦରେ କରିହେବ ପ୍ରାଣର ଈଶ୍ୱରୀକରଣ।* ସମୁଦ୍ରର ଅସୀମତାକୁ ଦେଖି ବିଶ୍ଵ ଯେବେ ଭୟରେ ଚାହିଁ ରହୁଥିଲା,ମୁଁ ଅଗସ୍ତି ମୁନି ଭଳି ପିଇ ନେଇଥିଲି ସାତ ସମୁଦ୍ର। *ଦ୍ବୀପ ପରେ ଦ୍ଵୀପ ଡେଇଁ ଦେଶ ବିଦେଶରେ ମୋ ଦୁଃସାହସର ଧ୍ବଜା ଉଡାଇଥିଲି।* ଆଉ ବିଶ୍ଵ ଆଧ୍ୟାତ୍ମ ବଡ଼ଦାଣ୍ଡରେ *ମୁଁ ଗଢ଼ିଛି ଅଧାଗଢ଼ା ତିନିଠାକୁର।* ମୁଁ ମଣିଷ ; *କିଭଳି ଗଢ଼ିପାରିବି ପୂର୍ଣ୍ଣ ଈଶ୍ଵର ?* ମୋର ଏଇ ସରଳତାରେ ଗଢ଼ା *ମୋ ସରଳ ଠାକୁର ମଧ୍ୟରେ ସବୁଧର୍ମ, ସବୁମତ,ସବୁପଥ ନିଜ ଅସ୍ତିତ୍ଵ ହରାଇଛି।* ଆଉ ସେଇ ସରଳ ଠାକୁର କେବଳ ମୋ ମନ୍ଦିରର ଦିଅଁ ନୁହେଁ ; *ମୋ ଜାତିର ଆତ୍ମା,ମୋ ଘରର ମୁରବୀ।* ତେଣୁ ମୁଁ ଏ ଭୂମିର ଦାୟାଦ ବୋଲି ଆନନ୍ଦ ଲାଗୁଛି ।


(ଖ) "ମୁଁ ଜଣେ ଓଡ଼ିଆ" ; ପୃଥିବୀର ଯେକୌଣସି ସ୍ଥାନରେ ଠିଆହୋଇ ଏହା କହିବାରେ ଖୁବ୍ ଆନନ୍ଦ ଅଛି। *ମୋ ପବିତ୍ର ମାଟିକୁ ଛୁଇଁ କେବଳ ଚଣ୍ଡାଶୋକ 'ଧର୍ମାଶୋକ' ହୋଇ ନ ଥିଲା* ; ନିତିନିତି ନୀରିହ ରକ୍ତରେ ସ୍ନାନ କରୁଥିବା ପିଶାଚ କରୁଣାର ମହାଦୂତ ହୋଇ ନ ଥିଲା ; ଏ ପବିତ୍ର ମାଟି ଇତିହାସର ସରହଦ ଡେଇଁ ପୁରାଣପୃଷ୍ଠାରେ ଆଙ୍କିଛି କେତେ ପବିତ୍ର ପାଦ ଚିହ୍ନ। ଏଇ ମାଟିକୁ *ଦ୍ଵାରକାରୁ ଶାପଗ୍ରସ୍ତ 'ଶାମ୍ବ' ଋଷି ଆଦେଶ ଘେନି ଆସିଥିଲେ ଶାପ ମୁକ୍ତି ପାଇଁ।* ଅର୍କଭୂମି କୋଣାର୍କର କର୍ଦ୍ଦମକୁ ଦେହରେ ବୋଳି କାଶ୍ୟପଙ୍କ ଆରାଧନାକରି ହୋଇଥିଲେ ଶାପମୁକ୍ତ। ଆଉ *ପଣ୍ଡୁପାଞ୍ଚ ଭାଇ ମହାଭାରତ ଯୁଦ୍ଧ ଅନ୍ତେ ଭାତୃହତ୍ୟା, ପିତୃହତ୍ୟା,ଗୁରୁହତ୍ୟା,ବ୍ରହ୍ମହତ୍ୟା ମହାପାପର ମହାଶୋକରୁ ମୁକ୍ତି ପାଇବା ପାଇଁ ଲୋମଶ ମୁନିଙ୍କ ପରାମର୍ଶରେ ଆସିଥିଲେ ଏ ମାଟିକୁ ; ମହାମାୟାଙ୍କ ନାଭି ପିଠ ମା ବିରଜାଙ୍କ ପାଖକୁ।* ଏଠି ମାଙ୍କ ଆରାଧନା କରି ମହାଶୋକରୁ,ପାପ ବୋଝରୁ ମୁକ୍ତି ହୋଇଥିଲେ। ମହାଭାରତ ଯୁଗ ଡେଇଁ ଏ ମାଟିର ମହାନତା *ରାମାୟଣର ରାମଙ୍କୁ ମଧ୍ୟ କରିଛି ରମଣୀୟ।* ଋଷି ପୁତ୍ର, ଉଚ୍ଚ ବ୍ରାହ୍ମଣ ବଂଶଜ,ପରମ ଶିବଭକ୍ତ *ରାବଣଙ୍କୁ ହତ୍ୟା କରିଥିବା ଧନୁକୁ ରଘୁବୀର ଲିଙ୍ଗରାଜରେ ମହାଦେବଙ୍କୁ ଅର୍ପଣ କରି ଶରଣ ପଶିଥିଲେ।* ସେଇଥି ପାଇଁ *ଏକମାତ୍ର ଶୈବ ପୀଠ ଲିଙ୍ଗରାଜ ଚୂଡ଼ାରେ ଧନୁ ବିରାଜିତ।* ତେଣୁ ମୁଁ ଏ ଭୂମିର ଦାୟାଦ ବୋଲି ଆନନ୍ଦ ଲାଗୁଛି ।


(ଗ) ''ମୁଁ ଜଣେ ଓଡ଼ିଆ" ; ପୃଥିବୀର ଯେକୌଣସି ସ୍ଥାନରେ ଠିଆହୋଇ ଏହା କହିବାରେ ଖୁବ୍ ଆନନ୍ଦ ଅଛି। ଏଇ ମାଟିର *ସ୍ଵବର୍ଣ୍ଣପୁର କବି ଭୀମଭୋଇଙ୍କର କବିତା ସ୍ଵର୍ଣ୍ଣିଭ ଅକ୍ଷରରେ ବିଶ୍ଵ ଜାତିସଂଘର ଲଲାଟରେ ଖୋଦିତ ହୋଇଛି :" ମୋ ଜୀବନ ପଛେ ନର୍କେ ...*; "ଆଉ ଏ ମାଟିର କବି ତା ନିଜ ମାଟିର ମହକରେ *ଈଶ୍ଵରୀ ମା(ଶାରଦା) ଆଗେ ବସି ଲେଖିଛି ମହାଭାରତ।* ଏ ମାଟିର *କବି(ଜଗନ୍ନାଥ ଦାସ) ମାନବୀ ମା ପାଇଁ ଲେଖିଛି ସ୍ୱର୍ଗରୁ ଶବ୍ଦ ଆଣି 'ଭାଗବତ'*; ଆଉ ଏଠି *କବି (ଜୟଦେବ) ଯେବେ କବିତାର ପଂକ୍ତି ପୂରଣ ପାଇଁ ଶବ୍ଦ ପାଆନ୍ତି ନାହିଁ,ଈଶ୍ଵର ନିଜେ କବି ହୋଇ ପଂକ୍ତି(ଦେହି କର ପଲ୍ଲବ.....) ଲେଖିଦେଇଯାଆନ୍ତି।* ଆଉ ଆମ ସମୟର ସମ୍ବଲପୁରର *ଗଙ୍ଗାଧରଙ୍କ 'ତପସ୍ଵିନୀ' ତପନ ଭଳି ବିଶ୍ଵ ଆଧୁନିକ ସାହିତ୍ୟ ଆକାଶରେ ଉଦିତ ହୋଇଛି।* ବିଶ୍ଵ ଆଧୁନିକ ସାହିତ୍ୟ ଆକାଶରେ ମୁଁ ଆଙ୍କିଛି ଆହୁରି ଅନେକ ଉଜ୍ଜ୍ଵଳ ନକ୍ଷତ୍ର : *ଫକୀର,ରାଧାନାଥ,ଗୋପବନ୍ଧୁ, ବିଦ୍ୟୁତ୍,କୁନ୍ତଳା,ମନୋଜ,ମାୟାଧର, ଗୋପିନାଥ,ସୁରେନ୍ଦ୍ର ... ଆହୁରି ଅନେକ ଅନେକ ନକ୍ଷତ୍ର।*


(ଘ) ଆଉ ହେ ବିଶ୍ଵ ! ଶୁଣ,ମୁଁ ସେଇ ମାଟିର ; ଯେଉଁ ମାଟିର ପୁଅ *ବାଉଁଶ ନଳୀରେ (ସାମନ୍ତ ଚନ୍ଦ୍ରଶେଖର) ମାପିପାରେ ହିମାଳୟର ଉଚ୍ଚତା ଆଉ ଚନ୍ଦ୍ରର ଦୂରତା।* ତେଣୁ ମୁଁ ଏ ଭୂମିର ଦାୟାଦ ବୋଲି ଆନନ୍ଦ ଲାଗୁଛି।


(ଙ) "ମୁଁ ଜଣେ ଓଡ଼ିଆ" ; ପୃଥିବୀର ଯେକୌଣସି ସ୍ଥାନରେ ଠିଆହୋଇ ଏହା କହିବାରେ ଖୁବ୍ ଆନନ୍ଦ ଅଛି। *ମୋ ମାଟିର ବୀରଗାଥା କେବଳ ବିସ୍ମୟ ନୁହେଁ ; ଏହା ସ୍ଵର୍ଗୀୟ ଆଉ ସ୍ବାଭିମାନର ଜୟଯାତ୍ରା।* ମୁଁ ଯୁଦ୍ଧ ବାହାରିଲେ,ମୋ ସହ *ମୋ ଠାକୁର ବାହାରେ କଳା ଆଉ ଧଳା ଘୋଡ଼ାଚଢ଼ି।* ସ୍ଵାଭିମାନ ପାଇଁ ମୁଁ ଦେଇପାରେ ପାଞ୍ଚଲକ୍ଷ ମୁଣ୍ଡ (କାଞ୍ଚି ଅଭିଯାନ)। *ବାରବାଟୀ ମୋ ବୀରତ୍ଵର ବିନ୍ଦୁଏ ମାତ୍ର ; ଏଇମିତି ଅନେକ ବିନ୍ଦୁରେ ମୁଁ ବୀରତ୍ଵର ସିନ୍ଧୁ। ଖାରବେଳ,କପିଳେନ୍ଦ୍ର ; ଏମିତି କେତେ ବିନ୍ଦୁରେ ମୁଁ ସିନ୍ଧୁ।* ସମଗ୍ର ଭାରତବର୍ଷ ଯେବେ ଇଂରେଜ ଦ୍ବାରା ଶାସିତ ହେଲା, ଇଂରେଜ ବିରୁଦ୍ଧରେ *"ସିପାହୀ ବିଦ୍ରୋହ" ପୂର୍ବରୁ ମୁଁ ତେଜିଥିଲି "ପାଇକ ବିଦ୍ରୋହ"।* ସମଗ୍ର ଭାରତ ଇଂରେଜର ଜୟଗାନ କଲାବେଳେ ; *ମୁଁ (ସୁରେନ୍ଦ୍ର) ସମଲେଇ ମା'ର ମଥାରେ ସିନ୍ଦୁର ମାଖି ସ୍ଵୀକାର କରି ନ ଥିଲି ଇଂରେଜର ଦାସତ୍ଵ।* ମୋ (ଶିଶୁ ବାଜି ରାଉତ) ବୀରତ୍ଵ ଆଉ ସରଳତା ବିଶ୍ଵରେ ବିଦିତ। ମୁଁ ଓଡ଼ିଆ ; *ବିଜୁ ହୋଇ ଇଣ୍ଡୋନେସିଆ ସ୍ଵାଧୀନ ସଂଗ୍ରାମୀ ନାୟକକୁ ମୃତ୍ୟୁଦଣ୍ଡରୁ ରକ୍ଷା କରିବାକୁ ଆକାଶର ଚିଲ ହୋଇ ଝାମ୍ପି ଆଣିଥିଲି ଭାରତ। ମୁଁ ହିଁ ଦୁଃସାହସର ସୀମାଭାଙ୍ଗି ଜାହାଜ ଭର୍ତ୍ତି ସୈନ୍ଯ ନେଇ "କାଶ୍ମୀର ଭାରତର ଅଙ୍ଗ" କରିଥିଲି।* ତେଣୁ ତ ମୁଁ ଏ ଭୂମିର ଦାୟାଦ ବୋଲି ଆନନ୍ଦ ଲାଗୁଛି।


(ଚ) "ମୁଁ ଜଣେ ଓଡ଼ିଆ" ;ପୃଥିବୀର ଯେକୌଣସି ସ୍ଥାନରେ ଠିଆହୋଇ ଏହା କହିବାରେ ଖୁବ୍ ଆନନ୍ଦ ଅଛି। *ମୁଁ ହିଁ ପୃଥିବୀର ପ୍ରଥମ ନାରୀ ସ୍ଵାଧୀନତାର ଉଦ୍-ଘୋଷକ।* ନାରୀ ସ୍ଵାଧୀନତାର ଶକ୍ତ ସମର୍ଥନକରି *ବଳରାମ ହୋଇ ଲେଖିଛି 'ଲକ୍ଷ୍ମୀ ପୁରାଣ'।* କନ୍ୟାଟିଏର ସ୍ଵାଭିମାନ ପାଇଁ ଲକ୍ଷ ଲକ୍ଷ ମୁଣ୍ଡ ଦେଇଛି। ବିଜିତ ରାଜକନ୍ୟା *ପଦ୍ମାବତୀ ବିଷୟରେ ରାଜା ଯେବେ କହନ୍ତି ମନ୍ତ୍ରୀଙ୍କୁ : 'ଏ କନ୍ୟାକୁ ଏକ ଚଣ୍ଡାଳ ସହ ବିବାହ ଦେବାକୁ', ମନ୍ତ୍ରୀ ମନ୍ଦମନ୍ଦ ହସେ କନ୍ୟାକୁ ନିଜ ଝିଅ ଭଳି ଘରେ ରଖି ଅପେକ୍ଷା କରନ୍ତି ; ଆଉ ରାଜା ଯେବେ ଠାକୁର ରଥରେ ଝାଡୁଧରି ଚଣ୍ଡାଳହୁଏ,ମନ୍ତ୍ରୀ କହନ୍ତି,"ହେ ଚଣ୍ଡାଳ ! ରାଜା ଆଦେଶ ଏ କନ୍ୟାର ପାଣି ଗ୍ରହଣକର"।* ନାରୀପ୍ରତି ଏ ସ୍ଵର୍ଗୀୟ ସମ୍ମାନ କେବଳ ଏ ମାଟି, ଏ ଜାତି ଦେଇପାରେ। ନାରୀର ଅନ୍ତଃ-ସାମର୍ଥ୍ଯର ପରିଚୟ ଦେବାକୁ ଯାଇ ବିଶ୍ଵ ମାନବକୁ ଏ ଜାତି କହିଛି : *"ମୋ ବଡ଼ଠାକୁର ଭୋଗ କେବଳ ପ୍ରସାଦ ; ଆଉ ସେଇ ପ୍ରସାଦରେ ନାରୀ ରୂପିଣୀ,ମାତୃରୂପିଣୀ "ମା ବିମଳା"ର କୃପା ପ୍ରାପ୍ତ ହେଲେ ; ହୁଏ ମହାପ୍ରସାଦ।* ଏତିକି ନୁହେଁ ! ମୁଁ ସଦା *ମାତୃମୟୀ ପ୍ରକୃତିର ଚିର ପୂଜାରୀ।* ତେଣୁ ତ *ମୌସୁମୀ ଆଗମନେ ପ୍ରକୃତି ଯେବେ ରଜବତୀ ହୁଏ ; ମୁଁ ଉଲ୍ଲାସରେ ପାଳେ 'ରଜ' ପର୍ବ। ଫସଲ ପାଚିଗଲେ କୃତଜ୍ଞତାରେ "ମା ସମଲେଇ"କୁ ଅର୍ପଣକରି ପାଳେ 'ନୂଆଖାଇ'।* ଆଉ ଆମେ ଓଡ଼ିଆ ପ୍ରକୃତି ମା ପାଖେ ଏତେ କୃତଜ୍ଞ ଯେ, ଆଧୁନିକ ଗବେଷଣା କହୁଛି *ମଣିଷ ପ୍ରଥମେ କୋରାପୁଟରେ ହିଁ ଚାଷ ଶିଖିଥିଲା ; ଧାନକୁ ଖାଦ୍ୟରୂପେ ଆବିଷ୍କାର କରିଥିଲା।* ପରବର୍ତ୍ତୀ ସମୟରେ ଏଇ ଚାଷ ହିଁ ସଭ୍ୟତାର ଜନନୀ ହୋଇଥିଲା। ହଁ *କେବଳ ନାରୀ ସ୍ଵାଧୀନତାର ମୁଁ ବାର୍ତ୍ତାବହ ନୁହେଁ ; ଘୃଣ୍ୟ ଜାତିପ୍ରଥା,କୁସଂସ୍କାର ବିରୁଦ୍ଧରେ ପଞ୍ଚସଖା ହୋଇ ନିଜକୁ ଶୁଦ୍ର,କ୍ଷୁଦ୍ର ଘୋଷଣା କରି ବିଶ୍ଵ ସମାଜ ସଂସ୍କାରରେ ସବୁଜିମା ଆଙ୍କେ।* ତେଣୁତ ମୁଁ ଏ ଭୂମିର ଦାୟାଦ ବୋଲି ଆନନ୍ଦ ଲାଗୁଛି।


(ଛ) "ମୁଁ ଜଣେ ଓଡ଼ିଆ" ; ପୃଥିବୀର ଯେ କୌଣସି ସ୍ଥାନରେ ଠିଆହୋଇ ଏହା କହିବାରେ ଖୁବ୍ ଆନନ୍ଦ ଅଛି। ମୁଁ ଓଡ଼ିଆ ; ଏଇ ମର୍ତ୍ତ୍ୟରେ ମୁକ୍ତ କଣ୍ଠରେ କହିଛି : *ନରର ନେତା ନର ନ ହେଉ ; ନରର ନେତା ନାରାୟଣ ହେଉ।* ଏହା କେବଳ କହିନି ; ମୁଁ ସଦା ମାନିଛି ; ମୋ ଜାତିର ନେତା ନିଜେ ନାରାୟଣ।

*"ଉତ୍କଳରେ ନାହିଁ ନେତା ପ୍ରୟୋଜନ,*

 *ଉତ୍କଳର ନେତା ସ୍ବୟଂ ନାରାୟଣ।"*

ଆଉ ଯେବେ ସମୟର କୃର-ଚକ୍ରରେ ମୁଁ ହୋଇଛି ପରାଧିନ, ଶୋଷିତ, ନିର୍ଯ୍ୟାତିତ ; ମୁଁ କିନ୍ତୁ ମୋ ନେତାକୁ ନଇଁବାକୁ ଦେଇନି। *ମୋ ନେତା ନାରାୟଣକୁ ନେଇ ଶତୃ ବନ୍ଧନରୁ ମୁକ୍ତ ରଖିବାକୁ ତାକୁ ନେଇଯାଇଛି : ଚିଲିକା, ସୁବର୍ଣ୍ଣପୁର, ସମ୍ବଲପୁର, ମୟୂରଭଞ୍ଜ ...; ଆଉ ଯେବେ ସମୟ ମୋ ଆଗେ ଅନ୍ଧାର ହୋଇ ଠିଆ ହୋଇ ମୋ ନେତାକୁ ମୋଠାରୁ ଛଡ଼ାଇ ନେଇଛି, ମୁଁ 'ସରଦେଈ' ହୋଇ ଶଂଖନାଦ କରିଛି ,' ବିସର ମହାନ୍ତି' ହୋଇ ଅନ୍ଧାର ପଞ୍ଝାରୁ ଅଗ୍ନିର ଜିଭରୁ ଝାମ୍ପି ଆଣିଛି 'ବ୍ରହ୍ମ' ; ପୁଣି ନାରାୟଣକୁ ନେତାକରି ଗଢ଼ିଛି ମୋ ଜୀବନଯାତ୍ରା।* 

ସେଇଥି ପାଇଁ ତ ଏ ମାଟିର ମଧୁବାବୁଙ୍କୁ ଯେବେ ମୋତିଲାଲ ନେହେରୁ, ଦେଶବନ୍ଧୁ ଚିତ୍ତରଞ୍ଜନ କଂଗ୍ରେସର ଅଧ୍ଯକ୍ଷ ହେବାକୁ ପ୍ରାର୍ଥନା କଲେ ; ମଧୁବାବୁ ମଧୁର ଶଦ୍ଦରେ ନ ହେବାକୁ ମନା କରିଦେଲେ ; କହିଲେ : *ମୁଁ ପଦପଦବୀରେ ବନ୍ଧାନୁହେଁ, ସେଇଭଳି ପ୍ରାଚୁର୍ଯ୍ୟ ପାଖରେ ଦାସ ନୁହେଁ।* ଅନେକ କହନ୍ତି ମୁଁ କାଳେ ଦରିଦ୍ର ; ଏହା ଶୁଣି ହସଲାଗେ। ସୂର୍ଯ୍ୟ ଚନ୍ଦ୍ର ନିତି ଦେଖନ୍ତି, *ମୁଁ "ଶାଗ ପଖାଳ" ଖାଏ ; କିନ୍ତୁ ମୋ ଠାକୁରକୁ "ଷାଠିଏ ପଉଟି" ଖୁଆଏ।* 

କେବେ ବି, କେହି ବି ଥରେ ପ୍ରଭୁ ଜଗନ୍ନାଥଙ୍କ ଓଡ଼ିଆ ଘରେ ଅତିଥି ହୋଇ ଦେଖନ୍ତୁ ... *ତା ହରିଜନ ସାହିରେ ଯାଇ,ତା ବଣ୍ଡା ପାହାଡ଼ରେ ଯାଇ,ଆଦିବାସୀ ଘରେ ଯାଇ ; ଚଷା, ମୂଲିଆ, ବ୍ରାହ୍ମଣ, କରଣ ଘରେ ଯାଇ ; ଥରେ ଅତିଥି ହୋଇ ଦେଖନ୍ତୁ : ଜୀବନ ତମାମ୍ ଆଉ କହି ପାରିବେ ନାହିଁ, "ଓଡ଼ିଆ ଦରିଦ୍ର" ବୋଲି।* 


(ଜ) ସାଇବେରିଆରୁ ଚିଲିକାକୁ *ଅତିଥି ହୋଇ ଆସୁଥିବା 'ସାରସ'କୁ ପଚାରନ୍ତୁ, ମେରୁରୁ ମାଇଲ୍ ମାଇଲ୍ ଲଙ୍ଘି ଏ ମାଟିକୁ ଆସୁଥିବା "ରେଡ଼ ଅଲିଫ୍" କୁ ପଚାରନ୍ତୁ ; "ଓଡ଼ିଆ/ ଓଡ଼ିଶା ଦରିଦ୍ର କି" ?* ପ୍ରକୃତିର ରୁଦ୍ରନୃତ୍ୟରେ ( ବନ୍ଯା/ବାତ୍ଯା) ଭୌତିକ ସ୍ଵଚ୍ଛଳ ହୋଇ ନ ପାରେ ; କିନ୍ତୁ ଦାରିଦ୍ର୍ଯ ମୋ ଶବ୍ଦକୋଷରେ ନାହିଁ। ସେଇଥି ପାଇଁ ତ ଆଠ କୋଟିରେ ଯେବେ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ ହୋଇଥିଲା ; ଆଠଶହ କୋଟିରୁ ଉର୍ଦ୍ଧ୍ଵ ଇଣ୍ଡୋନେସିଆ ଦେଇଥିବା 'ଚେକ୍'କୁ ଚିରିଦେଇ *ବିଶ୍ଵ ମଣିଷକୁ "ବିଜୁ ପଟ୍ଟନାୟକ" କହିଥିଲେ,"ଓଡ଼ିଆ ପୁଅ ଦେଇ ଶିଖେ, ନେଇ ଶିଖେନି"।* ତେଣୁତ ମୁଁ ଏ ଭୂମିର ଦାୟାଦ ବୋଲି ଆନନ୍ଦ ଲାଗୁଛି।


(ଝ) *"ମୁଁ ଜଣେ ଓଡ଼ିଆ"*; ପୃଥିବୀର ଯେକୌଣସି ସ୍ଥାନରେ ଠିଆହୋଇ ଏହା କହିବାରେ ଖୁବ୍ ଆନନ୍ଦ ଅଛି। ବିଶ୍ଵ ଜାଣନ୍ତୁ ! *ଆପଣମାନେ ଯେବେ ଓଡ଼ିଶାକୁ ଛୁଅଁନ୍ତି, ଅବିଶ୍ଵସନୀୟ ଭାରତର ଆତ୍ମାକୁ ଛୁଅଁନ୍ତି (It's my Odisha ; The soul of incredible India). * ହଁ ! ଏହା କେବଳ ଶବ୍ଦମାତ୍ର ନୁହଁ ; ଏହା ଶବ୍ଦ ଦ୍ଵାରା ସୃଷ୍ଟ ସବୁଠୁ ସରଳ ସତ୍ୟ ଅଟେ। * ଏ ଭୂମି "ଭବ୍ୟ ଭାରତର ଆତ୍ମା" ବୋଲି ତ "ଦିବ୍ୟ ଗୁରୁ ଅବତାରୀ ଶ୍ରୀ-ରାମକୃଷ୍ଣ" ତାଙ୍କ ପ୍ରିୟ ଶିଷ୍ୟ 'ବିବେକାନନ୍ଦ'ଙ୍କୁ ଓଡିଶାକୁ (ଜଗନ୍ନାଥ ଧାମକୁ) ନ ଯିବାକୁ ନିର୍ଦ୍ଦେଶ* ଦେଇଥିଲେ। ତେଣୁ ତ ବିବେକାନନ୍ଦ ପଦବ୍ରଜରେ ସମଗ୍ର ଭାରତବର୍ଷ ବୁଲିଥିଲେ, ପରିବ୍ରାଜକ ଓ ପ୍ରତିନିଧି ହୋଇ ସମଗ୍ର ବିଶ୍ଵ ବୁଲି ଥିଲେ ; କିନ୍ତୁ ଓଡ଼ିଶା ଆସି ନ ଥିଲେ ; ବଙ୍ଗାଳୀ ହୋଇ ଶ୍ରୀକ୍ଷେତ୍ର ଆସି ନ ଥିଲେ । ଗୁରୁ କହିଥିଲେ, *"ମୁଁ ଯାଇନି ; ତୁ ବି ଯିବୁନାହିଁ ; ଗଲେ ସେଇଠି ଅଟକି ଯିବୁ। ଯେଉଁ କାମ ପାଇଁ ଆସିଛୁ ତାହା ଆଉ କରିପାରିବୁନି।"* ଏ *"ଆତ୍ମାର ଭୂମି"* ବୋଲି ତ ଏଠି ଏତେ ଆକର୍ଷଣ ; *ଏଠି ଅବତାରୀ ବି ଅଟକି ଯାଏ।* ଏହି ଆତ୍ମାର ଆଲୋକକୁ ଦେଖିଥିଲେ ବୋଲି ତ ମୁନି କପିଳ ଲେଖିଥିଲେ : 

*"ଉତ୍କଳସ୍ୟ ସମଦେଶ, ଦେଶନାସ୍ତି ମହୀତଳେ।"* 

ମହର୍ଷି କପିଳ ନିଜ ନଅ କନ୍ୟା ଙ୍କୁ ଏଠାରେ ନଅଟି ଋଷିଙ୍କ ସହ ଋଷିକୂଲ୍ୟା (ଋଷି ମାନଙ୍କର କୂ ) ନଦୀ କୂଳରେ ବିବାହ ଦେଇଥିଲେ |ଉପନିଷଦ,ଗୀତା *ଆତ୍ମାର ପଥକୁ ସଦା ମଧ୍ୟମ ପଥ, ସମନ୍ବୟ,ସଂଗତିର ପଥ କହିଛି।* ଦେଖନ୍ତୁ, *"ଓଡ଼ିଆ ଭାଷା" ଦକ୍ଷିଣ ଭାରତ ଭାଷା ଭଳି କ୍ଷୀପ୍ର ନୁହେଁ, ଉତ୍ତର ଭାରତ ଭାଷା ଭଳି ଧୀର ମଧ୍ୟ ନୁହେଁ ; ଏହା ମଧ୍ୟମ।* ଏହାର ବର୍ଣ୍ଣ ଅକ୍ଷର ସବୁ ; ଗବେଷଣା କହେ ; ଦକ୍ଷିଣ ଭାରତ ଓ ଉତ୍ତର ଭାରତ ଭାଷାର ଅଦ୍ଭୁତ ସମନ୍ବୟ। *ଏହାର ଖାଦ୍ୟ,ପୋଷାକ,ପରିପାଟୀ ନିଜର ସ୍ୱତନ୍ତ୍ରତା ସତ୍ତ୍ଵେ ଉତ୍ତର ଦକ୍ଷିଣର ଏକ ଅଦ୍ଭୁତ ସମନ୍ୱୟ।* ଏହାର *ଆରାଧ୍ଯ "ମା ବିମଳା" ଦକ୍ଷିଣର କେଉଁ ଦେବୀ ମନେ ହେବାବେଳେ,ଏହାର "ମା କମଳା" ଉତ୍ତର ଭାରତର ଈଶ୍ଵରୀ ଲାଗନ୍ତି। ପୁଣି ସର୍ବବିଦିତ ଏ ଜାତି 'ହର'ର ଉପାସକ, 'ହରି'ର ବି ଉପାସକ ; 'ତନ୍ତ୍ର'ର ଉପାସକ, 'ମନ୍ତ୍ର'ର ବି ଉପାସକ ; 'ଶକ୍ତି'ର ଉପାସକ, ସୂର୍ଯ୍ୟ'ର ବି ଉପାସକ, ...ଏ ସବୁ ସମ୍ଭବ କେବଳ କେବଳ ଆତ୍ମାର ଭୂମିରେ।* ଆତ୍ମାର ଭୂମିରେ ହିଁ ଠିଆହୋଇ କେବଳ ଲେଖି ହୁଏ :

*''ବିଶ୍ଵ ଦେଖ,ମଧୁମୟରେ ଭୂବନ, ବିଶ୍ଵ ଦେଖ ମଧୁମୟ"।* 


(ଞ) ମଧୁମୟୀ ମା 'ଶ୍ରୀମା'ଙ୍କୁ କେହି ପ୍ରଶ୍ନ କରିଥିଲେ, *''ଅତିମାନସ ମହାଶକ୍ତିକୁ ଧାରଣ କରିବାକୁ କେଉଁ ଜାତିର ନାମ ପ୍ରଥମ ?"* ମା କେଇ ମୁହୂର୍ତ୍ତ ନୀରବ ରହି ଅସୀମ ଆକାଶକୁ ଚାହିଁ କହିଲେ, *"ଓଡ଼ିଶା"।* ତେଣୁ ତ, *ହେ ବିଶ୍ଵ ! ମୁଁ ଏ "ସର୍ବଧର୍ମ ସମନ୍ବୟ ଭାରତ" ମାଟିର ଧାର୍ମିକ "ଆତ୍ମା ଓଡିଶା ବା ଜଗନ୍ନାଥ ଧାମ"ର ଦାୟାଦ ବୋଲି ଆନନ୍ଦ ଅନୁଭବ କରୁଛି।*


ଲେଖକ କେବଳ ଆନନ୍ଦ ଅନୁଭବ କରୁଛନ୍ତି। *କିନ୍ତୁ ଆପଣଙ୍କୁ ଏହି ମାଟିର ମହକକୁ ଆଗକୁ ନେବାକୁ ହେବ ଓ ସାରା ବିଶ୍ୱ ଓଡ଼ିଆରେ ପରିବର୍ତ୍ତିତ ହୋଇ ଗର୍ଵ ଅନୁଭବ କରିବାପାଇଁ ଚେଷ୍ଟା କରୁ ସେଥିପାଇଁ ଆପଣଙ୍କୁ ମାର୍ଗ ପ୍ରଶସ୍ତ କରିବାକୁ ହେବ।*

       . 🙏🙏🙏

N. B. The above article was received from a WhatsApp friend.

Please share this post to as many Odia people as possible. ଧନ୍ୟବାଦ 🌹🙏

No comments:

Post a Comment