ଭବିଷ୍ୟ ଅନ୍ଧାର ଦିଶେ
****************
ବାଟରେ ଦେଖିକି ବାଟୋଇ ଭାଇକୁ
ଗଛଟେ ଡାକିଲା ଆ '
ଟାଇଁ ଟାଇଁ ଖରା କୁଆଡ଼େ ଯାଉଛୁ
ତଳେ ମୋର ବସି ଯା '।
ବିଞ୍ଚି ଦେବି ତୋତେ ପତର ପଙ୍ଖାରେ
ଡାଳ ଥୋଇ ଦେବ ଛାଇ,
ସେଇ ଛାଇ ତଳେ ଢୁଳେଇ ପଡ଼ିବୁ
ମାରି ଦେଇ ଟିକେ ହାଇ।
ଜୀବନଟା ସାରା ଏକ ଗୋଡ଼େ ଠିଆ
କରୁ ଥାଇ ଉପକାର,
ମଣିଷ ଜାତିଟା ବୁଝୁନି କାହିଁକି
କାଟି କରେ ଘର ଦ୍ବାର।
ଟାଙ୍ଗିଆ ଦେହରେ ମୋ ଡାଳ ଲଗାଇ
ବେଣ୍ଟକୁ ସଜାଡ଼ି ଆଣେ,
କାଳ କାରଖାନା ବସାଇ କିପରି
ନିଜ ଗୋଡ଼ ନିଜେ ହାଣେ।
ପାଟି ମୋ ଫିଟୁନି କହିବି କାହାକୁ
କେବଳ ନୀରବ ଦ୍ରଷ୍ଟା,
ମନ ମୋ ବୁଝୁନି ମଣିଷ ଜାତିକୁ
ଗଢ଼ିଥିଲେ କିଆଁ ସ୍ରଷ୍ଟା।
ଦେଇ ଦେଇ ତା'ରେ ଥକି ପଡ଼ିଲିଣି
ଫୁଲ ଫଳ ଡାଳ ପତ୍ର,
ମରିବା ପର୍ଯ୍ୟନ୍ତ ଶୁଝୁଥିବି ଋଣ
ମଣିଷ ଯେଣୁ ମୋ ମିତ୍ର।
ମଣିଷ ହୋଇ ସେ ଅମଣିଷ ପରି
ଗାଉଛି ରସର୍ କେଲି,
ଏତେ ପାଠ ପଢ଼ି ଜାଣୁନି କେମିତି
ଭବିଷ୍ୟ ଅନ୍ଧାର ବୋଲି ।
ମହା ପ୍ରଳୟ ଯେ ଆଗକୁ ଆସୁଛି
ଦିଶୁ ଅଛି ଜଳ ଜଳ,
ରକ୍ଷା କରିବାକୁ କେହିତ ନ ଥିବେ
ରହିବନି ଥଳ କୂଳ।
ଉଜୁଡ଼ିଲେ ଗଛ ଉଜୁଡ଼ିବ ବଂଶ
ଉଜୁଡ଼ିବ ସ୍ବର୍ଗ ପୂରି,
ବେଳହୁଁ ସଜାଗ ନୋହିଲେ ଭୋଗିବ
ନିଜ କୁଳ ବଂଶ ଧରି।
****************************
ଡକ୍ଟର ଚପଳା ପଣ୍ଡା, ଶିକ୍ଷୟିତ୍ରୀ
(ବୃତ୍ତି ନିବୃତ୍ତ), ଖୋର୍ଦ୍ଧା.
୯୪୩୭୪୨୧୮୧୬.
No comments:
Post a Comment