Friday 13 October 2023

ଓଡ଼ିଆ କବିତା "କାଫେର୍_ସ୍ୱପ୍ନ"

କାଫେର୍_ସ୍ୱପ୍ନ


ପାରିବ ଯଦି ଆସ

ଯିବା ଥରେ କେବେ ଇଉଫ୍ରେଟିସ୍ ନଦୀ କୂଳ,

ତେଲ୍ ଆଭିଭ୍'ର ରକ୍ତରଞ୍ଜିତ ମାଟି, ଏବେ ଯେଉଁଠି

ଅଗଣିତ ଇହୁଦୀଙ୍କ ନିଥର ଦେହ ଅସୁମାରୀ ସ୍ୱପ୍ନର ଇଚ୍ଛାରେ ଅନ୍ତହୀନ ନିଦ ଶୋଇପଡିଛନ୍ତି, ସେଠାରୁ ବେଶି ଦୂର ନୁହେଁ

ମାତ୍ର ହଜାରେ ମାଇଲ ଦୂରରେ ଅଛି

ବେବିଲୋନ୍ ସହର ।


ଯେଉଁ ମାଟି ପାଣି ପବନ ଗାଏ

ଲକ୍ଷ୍ୟ ଲକ୍ଷ୍ୟ ମାତୃଭୂମି-ବାସନ୍ଦ ଯୀଉସ୍ ଙ୍କ

ଅବରୂଦ୍ଧ କଣ୍ଠର ସମବେତ ଗୀତ...

  "ହେ ମୋ ପବିତ୍ର ଜନ୍ମଭୂମି, ଦେଖ ମୋ ଆଖିରେ

    ଲେଖା ଅଛି/ ତୁମ ପାଇଁ ଦିନେ ନା ଦିନେ ମୁଁ

    ମୃତ୍ୟୁ ଲଭିବାର ପ୍ରତିଜ୍ଞା କରିଛି...।"


ଯେଉଁ ମାଟି ମନେପକାଇଦିଏ

ୟିଚେକ୍ ରବିନ୍'ର କଥା,,

ଆଜୀବନ ନିଜ ଲୁହକୁ ପିଉ ପିଉ

ସୁଦୂର ଜିଆନ୍ ପର୍ବତର ଶିଖରକୁ ଚାହିଁ

ପ୍ରାଣ ପ୍ରିୟା ନାସେର୍ ପାଇଁ ଯିଏ ନିଜ ମନରେ ଗଢ଼ିଥିଲା

ଗୋଟିଏ ଭୟ ମୁକ୍ତ ନୀଳ ଆକାଶର ସ୍ୱପ୍ନ ।


କ୍ଵଚିତ ଶୋଉଥିବା କାଫେର୍

ସବୁଥର ଚିହିଁକିପଡ଼ି ଉଠିଯାଏ ନିଦରୁ

ତା' ଆଖିରେ ନାଚିଉଠେ ଧ୍ୱସ୍ତ ବିଧ୍ୱସ୍ତ

ସିନେଗୋଗ୍ !


ସେ କାନ୍ଦେ...

    ଖଣ୍ଡିତ ଜର୍ଜର ୟାହୱେର କରୁଣ ଚିତ୍କାରରେ,

ସେ କାନ୍ଦେ...

    ଅବଗୁଣ୍ଠିତ ଅଶେରାହର ତୁହାକୁ ତୁହା କ୍ରନ୍ଦନରେ,

ସେ କାନ୍ଦେ...

     ସିନାଇ ପାହାଡ଼ର ବିୟୋଗରେ ।


ଆକାଶରେ ଭୀଷଣ ବାରୁଦ

ଷଡ଼ଯନ୍ତ୍ରର ପୈଶାଚିକ ଧୂଆଁରେ ରୁନ୍ଧିହେଉଛି ନିରୀହ ମଣିଷ,

ଯେରୁଜେଲମ୍ ଭିତରେ ବସି ନିରୁପାୟ ଈଶ୍ୱର

ଦିଶୁଥିଲେ ଖୁବ ତ୍ରସ୍ତ !

ସଭିଏଁ ବ୍ୟସ୍ତ ଥିଲେ ଶବ ବୁହାରେ, ଯଦିଓ ଏହା ଥିଲା

ସେମାନଙ୍କର ପ୍ରିୟ ପ୍ରାର୍ଥନାର ବେଳ ।


ଗାଜାପଟ୍ଟିରୁ ଆସୁଛି ଧର୍ଷିତା ନାସେର୍'ର ବିଖଣ୍ଡିତ ଦେହ,

ସକାଳେ ଧ୍ୱସ୍ତ ବିଧ୍ୱସ୍ତ ସ୍ତୁପ ତଳେ ଖୁବ ବିଳମ୍ବ ପର୍ଯ୍ୟନ୍ତ ଶୋଇରହି

ୟିଚେକ୍ ରବିନ୍ ଦେଖୁଛି ତା' ଭାଗ ମାଟିର ମିଛ କାମନା,

କାଫେର୍ ସ୍ଵପ୍ନ ।

              #ଜ୍ଞାନେନ୍ଦ୍ର..✍️

କାଫେର= ବିଧର୍ମୀ

ଇଉଫ୍ରେଟସ୍ ନଦୀ କୂଳରେ ତଏଲଇଭଇବ ସହରରେ ଆଗରୁ ଅନେକ ଇହୁଦୀଙ୍କୁ ମୁସଲମାନମାନେ କାଫେର ବୋଲି କହି ହତ୍ୟା କରିଥିଲେ। ଏହା ଐତିହାସିକ ତଥ୍ୟ ଆଧାରିତ। ତେଲିଭିବ ସହରରେ ଗଣ ହତ୍ୟା ପରେ ସେମାନେ ଵେଵିଲୋନ ସହର ଦେଇ ସେମାନେ ବିଶ୍ବର ଅନ୍ୟ ଦେଶରେ ଶରଣାର୍ଥୀ ହୋଇଥିଲେ

 ସିନେଗୋଗ =ସିନାଇ ପାହାଡ଼ ତଳେ ଥିବା ସହର

ସମଗ୍ର ଇସ୍ରାଏଲକୁ ମହମ୍ମଦଙ୍କ ସେନା ରକ୍ତ ରଞ୍ଜିତ କରିଥିଲେ।

ଇତିହାସ ଆଧାରିତ ତଥ୍ୟ ଉପରେ ଏହି କବିତାଟି ଲେଖାଯାଇଛି

ଇତିହାସର ତଥ୍ୟ ନଜାଣିଲେ ଏହି କବିତାଟି ବୁଝିବା କଷ୍ଟକର। ଇହୁଦୀ ଓ ମୁସଲମାନଙ୍କ ମଧ୍ୟରେ ହୋଇଥିବା ସଂଘର୍ଷର କାହାଣୀ ଏଥିରେ ସନ୍ନିବେଶିତ ହୋଇଛି

No comments:

Post a Comment