*ତୁମେ କହିଥିଲ ବୋଲି*
ବିନା ବସନ୍ତରେ କୋଇଲି ସ୍ୱରରେ
ଅଜଣା ପୁଲକ ଭରି
ଆମ୍ବ ବଉଳର ସୁରଭି ସାଥିରେ
ବାନ୍ଧିକି ଭାବର ଡୋରି।
କାହା ଇସାରାରେ ଜାଣେନା ତଥାପି
ହସୁଛି ମୁଁ ମନ ଖୋଲି
ତୁମେ କହିଥିଲ ବୋଲି.....
ଅତୀତକୁ ଭୁଲି ଦି ପାଦ ଆଗକୁ
ଚାଲିବାର ଇଚ୍ଛା ନେଇ
ବଞ୍ଚିବାର ମୋହ ଜଗାଇ ଅନ୍ତରେ
ଜୀବନର ଗୀତି ଗାଇ
ଅଜାଗା ଘା'ରେ ମଲମ ଲଗାଇ
ଉଡୁଛି ମୁଁ ଡେଣା ମେଲି ।
ତୁମେ କହିଥିଲ.....
ପଡ଼ିଛି କେତେ ମୁଁ ଝୁଣ୍ଟିଛି ବି କେତେ
ହିସାବ ତାହାର ନାଇଁ
ବଞ୍ଚିବା ମରିବା ହସିବା କାନ୍ଦିବା
ସମାନ ସବୁ ମୋ ପାଇଁ
ଜୀବନ ସହିତ ସାଲିସ୍ କରିଛି
ହସର ପ୍ରଲେପ ବୋଳି।
ତୁମେ କହିଥିଲ....
ମୋ ପାଇଁ ହଜିଛି ପୁନେଇଁର ଚାନ୍ଦ
ଭରିଛି ଉଆଁସ ରାତି
ସପନ ତ ଦୂର ନିଦ ବି ହଜିଛି
କୋହରେ ଭରା ମୋ ଛାତି
ଭଙ୍ଗା ମନ ମୋର ତଥାପି ଖୋଜୁଛି
ଦରଦୀ ମନଟେ ବୁଲି
ତୁମେ କହିଥିଲ.....
ଭାଗ୍ୟ ମୋ ଉଜୁଡ଼ା ହେବନି ସଜଡା
ମରମ କେବଳ ଜାଣେ
ବଞ୍ଚିବାର କଳା ଶିଖେଇଥିଲ ଯା'
ସାଥେ ଧରି ସ୍ୱପ୍ନ କିଣେ
ଜୀଅନ୍ତା ଶବ ମୁଁ ଆଜି ବି ଚାଲିଛି
ଜୀବନର ନାଆ ଠେଲି
ତୁମେ କହିଥିଲ......
ଭାରତୀ ରଥ(ଶିକ୍ଷୟିତ୍ରୀ)
ରଗଡ଼ି, ବାଙ୍କୀ, କଟକ
ତା-୨୦.୦୪.୨୦୨୪
No comments:
Post a Comment