କାଶତଣ୍ଡୀର ଅଭିସାର
××××××××××××××
ବିଧାତା ଇଙ୍ଗିତ ପାଇ ଋତୁଚକ୍ର
ତୃତୀୟ ତନୟ ଆସି,
ଶୁଭ୍ରାଙ୍ଗୀ ଶରତ କରେ ଆହ୍ଲାଦିତ
ତନୁ ମନେ ଭରି ଖୁସି।
ଭୋଦୁଅର ଜହ୍ନ ଝଲସେ ଗଗନ
ବିଛୁରିତ ତାରାଗଣେ,
ସୁଗନ୍ଧ ଶେଫାଳୀ ମନ ନିଏ ହରି
ପଥିକର ମନ ଟାଣେ।
ସବୁଠୁ ନିଆରା ହୋଇ ବାସହରା
ବଣ,ବିଲ,ନଈ,ନାଳ,
ଶୁଭ୍ର କାଶତଣ୍ଡୀ ହୋଇଯାଏ ମଣ୍ଡି
ଶ୍ୱେତ ଧବଳେ ବିମଳ।
ନ ଥାଏ କାହାର ବାଡି ବଗିଚାର
ଆବଦ୍ଧେ ନୋହି ବନ୍ଧନ,
ନିଜ ସ୍ୱତନ୍ତ୍ରତା ଶୃଙ୍ଗାରିତ ଶୋଭା
ଟାଣଇ ସବୁରି ମନ।
ଶୁଭ୍ରଜ୍ୟୋତ୍ସ୍ନା ପରେ ଧରଣୀ ବୁକୁରେ
ରଚିଛି ସେ ଅଭିସାର,
ଚାରୁ କାଶତଣ୍ଡୀ ଚତୁର୍ଦ୍ଦିଗ ମଣ୍ଡି
ହସେ ତଟିନୀ ତମାଳ।
ଶାହାନାଇ ବାଦ୍ୟେ ସମୀରଣ ମଧ୍ୟେ
ନବବଧୁ କାଶତଣ୍ଡୀ,
ଚୋରା ଚାହାଣୀରେ ମତୁଆଲୀ କରେ
ମନ,ହୃଦ ସବୁ ଛନ୍ଦି।
ରୂପ ଲାବଣ୍ୟରେ ଭ୍ରମନ୍ତି ଭ୍ରମରେ
ଭ୍ରମର ହୋଇ ପାଗଳ,
ଏ ଶୃଙ୍ଗାର ବେଶ କରଇ ଆକୃଷ୍ଟ
ଫାନ୍ଦେ ପଡନ୍ତି କେବଳ।
ପ୍ରୀତି ପ୍ରଣୟରେ ହଜିଗଲେ ଥରେ
ଭାବୁକ,କବିର ମନ
ଭାବନା ଜାଲରେ ପଥ ତାର ହୁଡେ
ଅଟକାଏ ତା" ଲାବଣ୍ୟ।
ଯେବେ ମଦାଳସା ହୁଏ ନୃତ୍ୟରତା
ଲାଜେଇଯାଏ ଯେ ଜହ୍ନ,
ତା' କୋମଳ ସ୍ପର୍ଶେ,ଶରତ ଯେ ହସେ
ତା' ଲାଗି ଏ ଶୋଭାବନ।
ମା" ଆଗମନୀ ବାର୍ତ୍ତା ଦେଇ ପୁଣି
ସବୁ କଷଣକୁ ଚାପି,
ମା' ଙ୍କ ଭସାଣି ସାଥେ ଯାଏ ପୁଣି
ଲେଖି ତାର ଆତ୍ମଲିପି।
ହିଂସା,ଈର୍ଷା,କ୍ରୋଧ,ନାଶି ଏ ଦାନବ
ଧରାକୁ ଦେଇଣ ମୁକ୍ତି,
ଦେବେ ମା ଆଶିଷ ଦୁଃଖ ନେଇ ସୁଖ
ହୃଦରେ ଭରିବେ ଶକ୍ତି।
ଅଭିସାର ରଚି ହସଖୁସୀ ବାଣ୍ଟି
ଆନନ୍ଦ,ଉଚ୍ଛ୍ୱାସ ଭରି
ନିମିଷକ ପ୍ରାଣ ଅନ୍ୟ ପାଇଁ ଦାନ
ଦେଖାଇ ଯିବ ସେ ଫେରି।
ବିବାସିନୀ ପଟ୍ଟନାୟକ
କାଳୁପଡା ଘାଟ
ଖୋର୍ଦ୍ଧା
No comments:
Post a Comment