*ସପନ ବଣିକ*
...............................................
ଆଖି ଆଇନାରେ
ବଇନା ଦେଇକି
ମରମକୁ ନିଏ କିଣି
ଅସରା ଅସରା
ଲୁହ ଲଗାଣକୁ
ଭରସାରେ ଯାଏ ଜିଣି ।
ବୁଣିଦିଏ ମନେ
ସପନ କଣିକା
ଶହେ ଫଗୁଣର ଫୁଲ
ସାତରଙ୍ଗ ଫଗୁ
ସତର ବସନ୍ତ
ଅସରନ୍ତି ପ୍ରୀତି ମୂଲ ।
ହାଣିଦିଏ ଛାତି
ଜାଣିଦିଏ ରାତି
ଉତଲା ମନର ଆଶା
ତାଳୁରୁ ତଳିପା
ତତଲା ଦେହର
ଡହକ ଅନ୍ତର ଭାଷା ।
ବାନ୍ଧିପାରେ ଭାବ
ଅତୁଟ ବନ୍ଧନ
ବିନ୍ଧିପାରେ ସବୁ ଭେଦ
ସହିପାରେ କୋହ
ଲୁହର ଓଜନ
ବହିପାରେ ସବୁ ଖେଦ ।
ଟପିପାରେ ସୀମା
ସମୟ ବାଟିକା
ବିଷ ବିସମ୍ବାଦ ସେତୁ
କାଟିପେରେ ପ୍ରେମ
ପ୍ରଣୟ ପଞ୍ଜିକା
ଗ୍ରହ ଶନି ରାହୁ କେତୁ ।
ମାପି ପାରେ ଲୁହ
ଲହୁର ଟିପଣି
ବିରହ ବେଦନା ତାତି
ଟପିପାରେ ଯେତେ
ଜଉବନ ନିଆଁ
ବିଷମ ଛଳନା ରାତି ।
ମୋହିପାରେ ଚିତ୍ତ
ହୋଇପାରେ ମିତ
ଦହିଦିଏ ମନ ପ୍ରାଣ
କଥା କୁହୁକରେ
ମହକ ବିତରି
ଭିତରକୁ ମାରେ ବାଣ ।
କିଣିନିଏ ମୁଣି
ପରାଣ ବିପଣି
ମୁକୁଟ ମରଣ ବାଜି
ହୋଇଯାଏ ଦିନେ
ଶମଶାନ ଭୁଇଁ
ଶେଷ ଶମନକୁ ରାଜି ।
ଖୋଲିଦିଏ ଗଣ୍ଠି
ଖାଲିକରେ ଅଣ୍ଟି
କାଟିଦିଏ ପ୍ରେମ ଫାନ୍ଦ
*ସପନ ବଣିକ*
ସାତ ଜନମକୁ
କିଣିଦିଏ ସୁନା ଚାନ୍ଦ ।
...............................................
ପ୍ରସନ୍ନ ମଣ୍ଡଳ
କୋଟପଲ୍ଲା, ଖୋର୍ଦ୍ଧା
No comments:
Post a Comment