Tuesday 28 February 2023

ଓଡ଼ିଆ କବିତା "ଲାଗୁଛି ଯେମିତି କାଲି " /

 


ଲାଗୁଛି ଯେମିତି କାଲି 

-------------------------------------------------


ଭୁଲି ହେବନାହିଁ

ସେଦିନର କଥା

             ଯାହାବି ଯାଇଛି ଚାଲି

ତେଇଶି ବରଷ

ବିତିଲାଣି ସିନା

         ଲାଗୁଛି ଯେମିତି କାଲି ।


ଭାସିଗଲା କେତେ

ସୁନାର ସଂସାର

              ସମୂଦ୍ର ଆସିଲା ମାଡ଼ି

କୂଳରେ ଦିଶିଲା

କୁଢକୁଢ ଶବ

           ଚିଲ ଶାଗୁଣା ଙ୍କ ଧାଡ଼ି ।


ବୁଢ଼ା ବାପା ହାତ

ଛାଡିଦେଇ କେତେ

          ଭେଣ୍ଡାପୁଅ ଗଲେ ଭାସି

ଗଛରେ ବାଡ଼ରେ

କୁଢକୁଢ ମଢ

         ମୁରଦାର ହେଲା ବାସି ।


ଚିହ୍ନି ପାରିଲେନି

ପ୍ରିୟ ପରିଜନ

         ଖୋଜିଖୋଜି ନିଜ ଲୋକ

ଜାଣିବା ଆଗରୁ

ଝୁଣିଦେଲେ ହାଡ

         ବିଲୁଆ ଶାଗୁଣା ପୋକ ।


ଉପୁଡ଼ି ପଡିଲା

ମହାମହା ଦୃମ

           ପଡିଆ ହୋଇଲା ଗାଆଁ

ଦିଶିଲାନି ଆଉ

ସୀମା ସରହଦ

           ଛପିଗଲା ସବୁ ନାଆଁ ।


ମାଆ ହାତ ଛାଡି

ଭାସିଗଲେ ପୁଅ

         କୋଳ ହୋଇଗଲା ଖାଲି

ଗାଆଁ ଦାଣ୍ଡ ବାରି

ବାରି ହେଲା ନାହିଁ

         ଚାରିଆଡେ ଖାଲି ବାଲି ।


ଲିଭିଗଲା କେତେ

ମଥାର ସିନ୍ଦୁର

           ଖାଲି ହୋଇଗଲା ଘର

ଦାଣ୍ଡରେ ଜଳିଲା

ଶହ ଶହ ଜୁଇ

           ସଞ୍ଜରୁ ଲାଗିଲା ଡର ।


ଟିଭି ରେଡିଓରେ

ଖବର ଶୁଣିକି

          ଲୋକେ ଯାଉଛନ୍ତି ଡରି

ଅକ୍ଟୋବର ହେଲେ

ସଜାଡି ରଖନ୍ତି

             ତମ୍ବୁ ସତରଞ୍ଜି ଜରି ।


ନଆସୁ ଏମିତି

ଘୁର୍ଣ୍ଣି ମହାବାତ୍ଯା

               ନରଚୁ ପ୍ରଳୟ ଆଉ

ମୋର ଗାଆଁଗଣ୍ଡା

ସହର ବଜାର

         ସେମିତି ଭଲରେ ଥାଉ ।


-------------------------------------------------

          ପ୍ରସନ୍ନ ମଣ୍ଡଳ  

       କୋଟପଲ୍ଲା, ଖୋର୍ଦ୍ଧା

No comments:

Post a Comment