Tuesday 28 February 2023

ପ୍ରସନ୍ନ ମଣ୍ଡଳଙ୍କ ଦ୍ୱାରା ରଚିତ ଓଡ଼ିଆ କବିତା / TRANSLATED POEMS

 



*ନିଦ*

ନିଦର ମହତ
ବୁଝିବା କେମିତି
          ନିଦରେ ନଗଲେ ଶୋଇ
ବୁଝି ପାରିବନି
ନଶୋଇକି ଯିଏ
         ମିଛରେ କାଢିବ ଖୋଇ ।

ନିଦ ନହୋଇଲେ
ସୁକୁମାର ଦେହ
             ରୋଗରେ ପଡିବ ସଢ଼ି
ହୃଦୟର ରୋଗ
ରକତ ଚାପରେ
            ଦୁରୁଦଶା ଯିବ ବଢି ।

ବଦ ହଜମିରେ
ଯାହା ଖାଇଲେ ବି
            ଆହାର ହୋଇବ ଲାଳ
ରକତ କଣିକା
କମିଯିବା ଯୋଗୁଁ
            ଝଡିଯିବ ସବୁ ବାଳ ।

ଦିନକୁ ଭଲରେ
ନିଘୋଡ଼ ନିଦରେ  
          ଶୋଉଥିଲେ ସାତ ଘଣ୍ଟା
ବିପି ହେଉ କିବା
ରକତ ସର୍କରା
          ଡେଇଁବନି ଜମା କଣ୍ଟା ।

ନିଦର ଗୋଟିଏ
ସମୟ ରହିଛି
                ମାନୁଥିବ ଯିଏ ନିତି
ନିରୋଗ ରହିକି
ସାରା ଜୀବନଟା
           ନିରାପଦେ ଯିବ ବିତି ।

...................................................
            ପ୍ରସନ୍ନ ମଣ୍ଡଳ 
       

 କୋଟପଲ୍ଲା, ଖୋର୍ଦ୍ଧା

::::::::::::::::: ମାଟି :::::::::::::::

ସୁନା ରୂପା ହୀରା ମୋତି ମାଣିକ
ପେଡିରେ ସଞ୍ଚିଛି ପ୍ରୀତି ବଣିକ
ମେଲେଇ ଦେଇଛି ବିଶାଳ ଛାତି
ଖୋଜେନି ଧରମ ଜାତି ଅଜାତି
      ପାଦତଳେ ତା'ର ବାସ
         ରାଜା ମହାରାଜା
         ଧନୀ କି ଗରୀବ
     ସବୁ ତା'ର କିଣା ଦାସ ।୧।

ପଡ଼ିଥାଏ ସହି ଖରା ବରଷା
ସାରା ସଂସାରର ସାହା ଭରଷା
ବଣ ତରୁଲତା ସୁନେଲି କ୍ଷେତ
ତାଲାଗି ଉଡାନ୍ତି ସବୁଜ ନେତ
      ସବୁଠାରେ ତା'ର ଘର
         ସାରା ମୁଲକକୁ
        କୋଳରେ ପୂରାଏ
   ଭାବେନି ଆପଣା ପର ।୨।

କହେନି କାହାକୁ ମନର ଖେଦ
ପରଖିଲେ ସୁଧା ନମିଳେ ଖାଦ
ସୁନା ରୂପା ଟଙ୍କା ହେବନି ସରି
ସରି ହେବନାହିଁ ସରଗ ପରୀ
     ଯୋଗାଏ ଆହାର ଜଳ
        ତୋଳିନିଏ ଯେତେ
          ନାଳ ନରଦ୍ଦମା
      ମଇଳା ଅସନା ମଳ ।୩।

ପ୍ରପାତ ଝରଣା ନଈ ପୋଖରୀ
ତା' ଦେହ ମାଉଁସ ଦିଅନ୍ତି କୋରି
ନିଜ ଲାଭ ପାଇଁଁ ହୀନ ମଣିଷ
ତା ଦେହେ ମିଶାଏ ଅସଲ ବିଷ 
    ତଥାପି ଖୋଲେନି ପାଟି 
         ଝାଞ୍ଜି ଖରା ବାଜି
        ତା' କୋମଳ ଦେହ
      ଶୁଖି ଶୁଖି ଯାଏ ଫାଟି ।୪।

ଗଇଁଚି ଶାବଳ କୋଡ଼ି କୋଦାଳ
ତା ଦେହକୁ ହାଣି କରନ୍ତି ଫାଳ
କୀଟ ସରିସୃପ ଦେହକୁ ତାଡି
ପେଟରୁ ମାଉଁସ ଦିଅନ୍ତି କାଢି
     ଛାତିରେ ବାନ୍ଧନ୍ତି ବସା
        ତା' ଦରଦ ଟିକେ
         ନମିଳିବ ଯଦି
   ମସୀହ ହୋଇବେ ମଶା ।୫।

ଉଠିବନି ଗଛ ଢାଳିଲେ ଜଳ
ଫୁଟିବନି କେବେ ଫୁଲକି ଫଳ
ନଥିବ ଗହମ ଚାଉଳ ଧାନ    
ସେ ପରା ସଂସାର ଅମୂଲ୍ୟ ଦାନ
     ମାଆଟି ସିନା ଏ 'ମାଟି'
         ନରହିଲେ ସିଏ
         ବୃଥା ହୋଇଯିବ
  ଯେତେ ଥିଲେ ମାଣ ବାଟି ।୬।

                  ◼️
         

  ପ୍ରସନ୍ନ ମଣ୍ଡଳ
କୋଟପଲ୍ଲା, ସିମୋର, ଖୋର୍ଦ୍ଧା

ଏମିତି ଋପରେ କିଆଁ ଆସୁଛୁ?
:::::::::::::::::::::::::::::::::::::::::::::::::::::

ରେ ସମୟ.........ରେ ସମୟ....
ଏମିତି ଋପରେ କିଆଁ ଆସୁଛୁ...

କେବେ କାଳ ବଇଶାଖୀ
ବଇରୀ ବତାସୀ ଝଡ
ଅଦିନ ଅଶୁଭ ଲୁହ
ଉଦାସୀ କପୋତୀ ନୀଡ଼
କେବେ ଫଗୁଣ ଅବିର ବାସୁଛୁ
ଏମିତି ଋପରେ କିଆଁ ଆସୁଛୁ.....
ରେ ସମୟ......ରେ ସମୟ (୧)

କେବେ ଭରା ମଉସୁମୀ 
ଶୀତଳ ଶ୍ରାବଣୀ ଧରା
ଗ୍ରୀଷମ ଉତ୍ତାପ ଝାଞ୍ଜି  
ବିଷମ ଡହକ ଖରା
ଯାତନା ଜ୍ୟାମିତି ଅଙ୍କ କଷୁଛୁ
ଏମିତି ଋପରେ କିଆଁ ଆସୁଛୁ....
ରେ ସମୟ.......ରେ ସମୟ (୨)

କେବେ ଯଉଘର ନିଆଁ
ବିରହ ବିଚ୍ଛେଦ ତାତି
କେବେ ମିଳନ ଆସର
ପ୍ରଣୟ ବାସର ରାତି
ଛଳନା ନିଆଁରେ କେବେ ନାଶୁଛୁ 
ଏମିତି ରୂପରେ କିଆଁ ଆସୁଛୁ....
ରେ ସମୟ......ରେ ସମୟ (୩)

କେବେ ସୁନା ତାରକଷି
ଚୁନାଚୁନା ଝରାଫୁଲ
କେବେ ମରଣ ବିଳାପ
ମଶାଣି ର ନିଆଁଝୁଲ
ମାୟା ମରିଚିକା ହୋଇ ଗ୍ରାସୁଛୁ
ଏମିତି ଋପରେ କିଆଁ ଆସୁଛୁ.....
ରେ ସମୟ......ରେ ସମୟ (୪)

ପ୍ରସନ୍ନ ଭାବୁଛି ତୋତେ
ବୁଝିବା ସହଜ ନୁହଁ
ପରଖି ହେଉନି ଭାବ
ନିରେଖି ଦେଖି ତୋ ମୁହଁ
ଏତେ କଷଟିରେ କିଆଁ ଘଷୁଛୁ
ଏମିତି ଋପରେ କିଆଁ ଆସୁଛୁ.....
ରେ ସମୟ......ରେ ସମୟ (୫)

:::::::::::::::::::::::::::::::::::::::::::::::::::::
                   ◼️
             ପ୍ରସନ୍ନ ମଣ୍ଡଳ
  କୋଟପଲ୍ଲା, ସିମୋର, ଖୋର୍ଦ୍ଧା


ମୋ ଗାଆଁରେ ସଞ୍ଜ 
🌿🌿🌿🌿🌿🌿

ବେଳ ବୁଡୁବୁଡୁ
ଦଳଦଳ ପକ୍ଷୀ
            ବସାକୁ ଆସନ୍ତି ଫେରି
ଗପ ଶୁଣିବାକୁ
କୁନା ମୁନା ଆସି
         ଆଈକି ଯାଆନ୍ତି ଘେରି ।                  

ସାହି ଶେଷ ମୁଣ୍ଡ
କାଳିକା ମନ୍ଦିର
          ଚାନ୍ଦିନୀରେ ପଡେ ପଟି
କେତେ ଗୁଲିଗପ
ଇଙ୍ଗିତି ରହସ୍ୟ
           ସାଙ୍ଗସାଥୀ ଙ୍କର ଖଟି ।

ଚଉରା ମୂଳରେ
ସଞ୍ଜ ଦୀପ ଜଳେ
             ବଟା ହୁଏ ମଞ୍ଜୁଆତି
ବଟୁଆ ଖୋଲିକି
ଅଜା ସଜାଡନ୍ତି
           ପାନଛେଚା ଗୁଆକାତି ।
          
ଦେଉଳ ବେଢାକୁ         
ଧାଡ଼ି ଲାଗିଯାଏ
             ବାଜେ ଭଳିଭଳି ଗୀତ
ସଞ୍ଜ ହେଉ ହେଉ
ବଢିଯାଏ ଥଣ୍ଡା
         କୋହଲା ପାଗକୁ ଶୀତ ।

ବୋଉ କରେ ରୁଟି
ସନ୍ତୁଳା ଡାଲେମା
             ବାପା ସଜାଡନ୍ତି ଥାକ
ପିଣ୍ଡାତଳ ଘସି
ମଶାଧୂଆଁ ସୁଙ୍ଘି
       ନୂଆବୋହୁ ଟେକେ ନାକ ।

ଦୋକାନ ଦୁଆରେ
ସଉଦା ପାଇଁକି
            ବଢିଯାଏ ଲୋକ ଭିଡ
ଧଳା ବାଟହୁଡା଼
ଦେଖାଯାଏ ଖାଲି
           ଦିଶେ ନାହିଁ ପଗି ହିଡ ।

ପେଟେ ମଦ ପିଇ
ପଦିଆ ନାହାକ
          ଗାଆଁମୁଣ୍ଡେ କରେ ପାଟି
ଭଙ୍ଗା ଉଠାଚୂଲି
ସଜାଡେ ଜେଜେମା
        ଝିଙ୍କାରେ ଲେସିକି ମାଟି ।

ଘଷାହୁଏ ତେଲ
କଅଁଳ ଦେହରେ
           ଶୁଭେ କୁଆଁ କୁଆଁ କାନ୍ଦ
ଘୋଷାଘର ବୁଢ଼ା
ପୋଷା କୁକୁରଟା
       ପଢେ କେତେ ଚମ୍ପୁ ଛାନ୍ଦ ।

ପଢ଼ିବା ନାଆଁରେ
ଟିଭି ପାଖେ ବସି
        ମାମା କରେ କେତେ ଆଲି
କାମସାରି ବାପା
ତା' ସାଙ୍ଗରେ ବସି
            ସଜାଡନ୍ତି ଲୁଡୁ ପାଲି ।

ସଜହୁଏ ବଧି
ଡିବି ନଲଠଣ
          ଜେଜେଙ୍କ ମଶାରୀ ଖଟ
ସଞହେଲେ ଏଠି
ଘରେ ଘରେ ଚାଲେ
         ଏମିତିକା କେତେ ନାଟ ।

ମୋ ଗାଆଁରେ ସଞ୍ଜ 
ବିତେଇଛି ଯିଏ
             ବୁଝିଛି ତାହାର ଭେଦ
ନକହୁ ପଛକେ
ମୋ ଗାଆଁର କଥା
         ଗୀତା ଭାଗବତ ବେଦ ।


................................................
           

କାଗଜ ଫୁଲ
""""'''''''''''"'"'""''"""""""""""""""""""”""""""""""""""

ବରଷା ବତାସ 
ପବନ ଆସିଲେ
               ପକ୍ଷୀକି ଲାଗୁଛି ଡର
ଭସା ବଉଦକୁ
ବସାରୁ ଦେଖିକି
              ଥରିବ ପାଇଛି ବର ।

ହାତଧରି ବାଟ
କଢେଇବ ଯିଏ
              ପାଖରୁ ଯାଉଛି ଉଡ଼ି
ଆଲୁଅରେ ମୁହଁ
ଚିହ୍ନିବ କେମିତି
              ସୂରୁଜ ଗଲାଣି ବୁଡି ।

କିଏ ଏଠି ପର 
କିଏ ଆପଣାର
                ଚିହ୍ନିବା ସହଜ ନୁହଁ
ଚିହ୍ନି ନପାରିଲେ
ନିଜର ଲାଗୁଛି
             ସବୁ ଆଖି ସବୁ ମୁହଁ ।

କେଉଁ ଠିକଣାରେ
ହଜିଯାଏ କିଏ
         ଖୋଜୁଖୋଜୁ ନିଜ ବାଟ
ଯେତେ ସଳଖିଲେ
ବୁଲେନାହିଁ ମଙ୍ଗ
           କେମିତି ଛୁଇଁବୁ ଘାଟ ।

ମହଣ ମହଣ
ଲୁହ ଜାଚିଲେ ବି 
         ମିଳେନି ଟୋପାଏ ଲହୁ
ସବୁ ଫୁଲ ଏଠି
କାଗଜ ତିଆରି
           ଝରିବ କେମିତି ମହୁ ।

""""""""""”"""""""""""""""""""""""""""""'""""""""

            ପ୍ରସନ୍ନ ମଣ୍ଡଳ
        କୋଟପଲ୍ଲା, ଖୋର୍ଦ୍ଧା



*ସୁଧୁରିଯା' ଅଛି ବେଳ* 
:::::::::::::::::::::::::::::::::::::::::::::::::::::::

ଲଗେଇନୁ ଦିନେ ଗୋଟାଏ ଗଛ
ଫଟୋ ଉଠେଇକି ଲେଖୁଛୁ ମିଛ
କେମରା ଆଗରେ ଧରୁଛୁ କୋଡ଼ି
ଡାହା ମିଛ ଗପ ଦେଉଛୁ ‌ଯୋଡି
      ଜଙ୍ଗଲ କଲୁଣି ଲଣ୍ଡା
        ବଡ଼ଦାଣ୍ଡେ ଗିନା 
         ତାଟିଆ ଧରିକି
   ବୁଲିବେ ସାନ୍ତାଳୀ ବଣ୍ଡା ।୧।

ବ୍ୟାନର ଟାଣିକି କରୁଛୁ ଭୋଜି
ବାଛି ବାଛି ଗଛ ଆଣୁଛୁ ଖୋଜି
ଲେଖୁଛୁ କବିତା ଗାଉଛୁ ଗୀତ
ଖୁଆଉଛୁ ବନ୍ଧୁ ସଙ୍ଗାତ ମିତ
      ପୋତିକି ଛିଞ୍ଚୁଛୁ ପାଣି
        ନିଜ ହାତେ ଜାଳି
         ପାଉଁଶ କରୁଛୁ
     କେମିତି ପାରୁନୁ ଜାଣି ।୨।

ଯିଏ ଯୋଗାଉଛି ପାଣି ପବନ
ଜାଣିଶୁଣି ନେଉ ତା'ର ଜୀବନ
ପଶୁପକ୍ଷୀ ସବୁ ଜଙ୍ଗଲ ‌ ଛାଡ଼ି
ଗାଆଁ ସହରକୁ ଲଗାନ୍ତି ଧାଡି
       ପଡିବ ମାରକ ଦଶା
           ପବନ ପୁଡିଆ 
         ପିଠିରେ ବାନ୍ଧିକି
   ହେବୁ ଦିନେ ଲୋକହସା ।୩।

ଚାରିଆଡେ ଖାଲି ଜଳୁଛି ନିଆଁ
ବଣ ପାହାଡରୁ ଉଠୁଛି ଧୁଆଁ
ଏସିରେ ଶୋଇକି ମାରୁଛୁ ମଜା
ଟଙ୍କା କମେଇକି ସାଜିଛୁ ରଜା
      ମିଛରେ ମୋଡୁଛୁ ନିଶ
         ଉପରେ ଢାଳୁଛୁ
          କ୍ଷୀର ସରପୁଳି
     ଭିତରେ ଗୋଳୁଛୁ ବିଷ ।୪।

ବାଜା ବଜେଇକି ନାଚିଲେ ଖାଲି
କିହେବ କରିଲେ ମିଟିଙ୍ଗି ରାଲି
ଗଛ କଥା କହି ମାରିଛୁ ତାଳି
ପଛରେ ଗଛକୁ ଦେଉଛୁ ଜାଳି
     'ସୁଧୁରିଯା ଅଛି ବେଳ' 
        ନହେଲେ ଆଗକୁ
        ବାଘ ଭାଲୁ ହାତୀ
   ଦାଣ୍ଡରେ ହୋଇବେ ମେଳ ।୫।

ନିଜ ହାତେ ନିଜେ କାଟୁଛୁ ବେକ
ମିଛ ଭାଷଣରେ ରଖୁଛୁ ଟେକ
ସଜାଡିଦେ ବାରି ବଗିଚା ତୋଟା
ନମିଳୁ ପଛକେ ଦରମା କୋଟା
      ଦରମରା ହେବୁ କିଆଁ
        ଘର ବନ୍ଧାଦେଇ
          ପବନ କିଣିବୁ
    ଯେମିତି ଜାଳୁଛୁ ନିଆଁ ।୬।

::::::::::::::::::::::::::::::::::::::::::::::::::::::

            ପ୍ରସନ୍ନ ମଣ୍ଡଳ
 କୋଟପଲ୍ଲା, ବାଘମାରି, ଖୋର୍ଦ୍ଧା



🌿🌿🌿🌿🌿🌿🌿🌿🌿

ଶରତ ସମ୍ଭାର

ଦିବ୍ୟ  ବିଶ୍ବକେତୁ

ଆବୃତ  ଅବନୀ

               ନବ ବିଶ୍ବମ୍ଭରା ବେଶ

ମୃଦୁ  ପ୍ରଭଞ୍ଜନ

ଅମୃତ  ପ୍ରବାହେ

           ବିଲୁପ୍ତ  ନିଦାଘ କ୍ଳେଶ ।


ପୂର୍ଣ୍ଣ  ବିଷ୍ଣୁପଦୀ

ବିଷୁବ  ବର୍ଣ୍ଣାଳି

               ବିସ୍ତୃତ  ଅଟବୀ ତନୁ

ପୁଣ୍ୟ  ସ୍ଵର୍ଣ୍ଣପ୍ରସୁ

ସବୁଜ  ବଳୟ

         ଦୀପ୍ତ  ଉଦ୍ଭାଷିତ  ଭାନୁ ।


ସହସ୍ରାକ୍ଷ  ବର

ହୀରକ  ସମ୍ବର

         ସରସୀ ସରୋଜ  ଶୋଭା

ଶୁଭ୍ର  କାଶତଣ୍ଡୀ

ଶୁଭ୍ରାଂଶୁ  ସମ୍ଭ୍ରମ

          ଦୀପ୍ତ  ଦିଗ୍ବଳୟ ଆଭା ।


ମୃଡାନୀ  ମଣ୍ଡପ

ବିମଣ୍ଡିତ   ମର୍ତ୍ତ୍ଯ

             ଅମର୍ତ୍ତ୍ଯ  ମୃଣ୍ମୟୀ ବାସ

ସୁମନ  ମଞ୍ଜୁଳ

ସୁଶୋଭିତ ଚୂଳ

           ଭ୍ରମର  ଅନିତ୍ଯ ରାସ ।


ଶୈବଳିନୀ  ତଟ

ସବୁଜ ସୁଷମା

            ଶୁକ୍ଳ  କାଶତଣ୍ଡି  ରେଖା

ପଲ୍ଲବିତ  ବୃକ୍ଷ

ନବୀନ  ପୁଲକ 

            ଅଫୂର୍ବ  ସବୁଜ ଶାଖା ।


ସୁବର୍ଣ୍ଣ   ଶଶାଙ୍କ

ଶର୍ବରୀଶ  ଅଙ୍କ

              କୁମୁଦ ଅନଙ୍ଗ  ପ୍ରୀତି

ସାନ୍ଧ୍ଯ  ପ୍ରତ୍ୟାବର୍ତ୍ତୀ 

ଶକୁନ୍ତ   ଆସର

           ଅଭ୍ର  ଅସ୍ତାଚଳ  ଗୀତି ।


କୃଷ୍ଣସାର  ପୃଷ୍ଠ

ପୁଷ୍ପକ  ସମ୍ଭାର

           ଲତା  ବିରାଜିତ ଶୋଭା

ସୁମଞ୍ଜୁଳ  ତଟ

ଉଚ୍ଚାଟ  ତଟିନୀ

           ରକ୍ତିମ  ପୁଷ୍କର  ଆଭା ।


ଆବୃତ   ଅମ୍ବର

ଧୂମଯୋନି  ବୃତ୍ତ

               ପୂର୍ଣ୍ଣ  ଦ୍ବିପବତୀ ଧାର

ସୁରଭିତ  ସୁର

ଶାସ୍ଵତ  ନିଧାନ

            ଧରା ବିଭୂଷିତ  ହାର ।


ଶରତ  ସମ୍ଭାର

ସମ୍ଭାବନା  ସିକ୍ତ

            ଧରିତ୍ରୀ  ମାତୃକା ପ୍ରୀତି   

ଶତଦଳ  ଶୋଭା

ଶୀତଳ  ଅନ୍ତର

          ମର୍ତ୍ତ୍ଯ  ବିରଚିତ  ଗୀତି ।

...............................................


      ‌ ‌    ପ୍ରସନ୍ନ  ମଣ୍ଡଳ

        କୋଟପଲ୍ଲା, ଖୋର୍ଦ୍ଧା
































No comments:

Post a Comment