Monday 3 April 2023

ଓଡ଼ିଆ କବିତା "ଯାହାକୁ ଯିଏ ସୁନ୍ଦର" /TRANSLATED ENGLISH POEM "THE ADOBE OF BEAUTY "

 ଯାହାକୁ ଯିଏ ସୁନ୍ଦର
------------------------------
ତରଙ୍ଗିଣୀ ଶୋହେ ତରଙ୍ଗ ମାଳାରେ
     ପର୍ବତ କୋଳେ ନିର୍ଝର,
ଶ୍ୟାମ ଦୁର୍ବାଦଳ ଶାଟୀକା ପରାୟ
   ବସୁଧା ଅଙ୍ଗେ ସୁନ୍ଦର ।।
କେଦାରେ କେଦାରେ ପକ୍ଵସଶ୍ୟ ମାଳା
  ପାଦପେ ପଲ୍ଲବ ଶୋଭା,

ସରିତେ ସରୋଜ ପ୍ରଭାତ ମୁରୁଜ
  ପ୍ରକାଶଇ ବର୍ଣ୍ଣ ବିଭା
।।


ସାଗରକୁ ଶୋଭା ନୀଳ ବୀଚିମାଳା
   ସୈକତେ ସୁନ୍ଦର ଶୁକ୍ତି,
ଶାମୁକା ଶୋଭଇ ଧରିଥିଲେ ଅଙ୍କେ
ବିଭାମୟ ଶୁଭ୍ର ମୋତି ।।



ଯାମିନୀ ଗଗନେ କଳାନିଧି ଶୋଭା
     ଚିକିମିକି ତାରାମେଳେ,
ଦିବସେ ଚହଟ ଦିଶେ ରୁଚିମନ୍ତ
  ହରିହୟ ଉଇଁଥିଲେ ।।



ମୁଦିର ସୁନ୍ଦର ଦିଶେ ଶୋଭାକର
      ଉଇଁ ଶକ୍ରସରାସନ,

ବସନ୍ତେ ସୁନ୍ଦର କୁଞ୍ଜେ କଳକଣ୍ଠି
  ଗାଇଲେ ପଞ୍ଚମ ତାନ ।।

ଶ୍ରାବଣେ ସୁନ୍ଦର ଜଳଦର ଧାର
  ଦୁର୍ବାଦଳେ ଧୁନ୍ଦୁମାର,
ନାଲି ନାଲି ତାର ଯୁତକ କାନିଟି
  ପ୍ରଭାତେ ଦିଶେ ସୁନ୍ଦର ।।


ବ୍ରତତୀ ଅଙ୍ଗରେ ଶୋହେ ପୁଷ୍ପମାଳ
   ତୃଣ ଅଙ୍ଗେ ସେ ନିହାର,
ପ୍ରକୃତି ମାତାର ମଣ୍ଡଣୀ ସଭିଏଁ
  ଏକୁ ଆରେକ ସୁନ୍ଦର ।।

ଅଞ୍ଜଳି ଗିରି ..

।। ଯାହାକୁ ଯିଏ ସୁନ୍ଦର।।


ତରଙ୍ଗିଣୀ--ନଦୀ

ତରଙ୍ଗ --ଢେଉ

ନିର୍ଝର--ଝରଣା

ଦୂର୍ବାଦଳ--ଦୂବଘାସ

ଶାଟୀକା--ଶାଢ଼ୀ।

ଏଠାରେ କବୀ କହିଛନ୍ତି ପ୍ରକୃତି

ଶ୍ୟାମ-ଦୁର୍ବାଦଳ ରଙ୍ଗର ଶାଢ଼ୀ ପିନ୍ଧି

ଅପରୂପ ଶୋଭାକୁ ଧାରଣ କରିଛନ୍ତି

କେଦାରେ କେଦାରେ ପକ୍ବଶସ୍ୟ ମାଳା ଅର୍ଥାତ୍ କ୍ଷେତରେ କ୍ଷେତରେ

ପାଚ଼ିଲା ଶସ୍ୟର ସମ୍ଭାର।

ପାଦପେ --ବୃକ୍ଷ ମାନଙ୍କରେ

ପଲ୍ଲବ --ନଉଆ କଅଁଳିଥିବା ପତ୍ର।

ସରିତେ--ନଦୀ ଗୁଡିକରେ।

ପ୍ରଭାତ ମୁରୂଜ--ସକାଳେ ସୂର୍ଯ୍ୟ ଉଇଁବା ବେଳର ଦୃଶ୍ୟ।

ନୀଳ- ବିଚ଼ୀମାଳା --ନୀଳଢେଉ।

ସୈକତେ-- ସମୁଦ୍ର ବେଳାରେ ସ୍ତୁପୀକୃତ ବାଲୁକା ପ୍ରାନ୍ତର।

ଶୁକ୍ତି--ଶାମୁକା

ଯାମିନୀ--ରାତ୍ରୀ

କଳାନିଧି--ଚ଼ନ୍ଦ୍ର

ହରିହୟ--ସୂର୍ଯ୍ୟ

ମୁଦିର---ମେଘ

ଶୁକ୍ର ସରଆସନ-- ଇନ୍ଦ୍ରଧନୁ

କଳକଣ୍ଠି--ପକ୍ଷୀବିଶେଷ।କିନ୍ତୁ ଏଠାରେ କୋଇଲୀକୁ ବୁଝାଇବ।

ଜଳଦ--ମେଘ

ବ୍ରତତୀ--ଲଟା

ନିହାର-ଶିଶିର

ମଣ୍ଡଣୀ--ସାଜସଜ୍ଜା।

No comments:

Post a Comment