Friday 28 April 2023

ଓଡ଼ିଆ କବିତା "ଏ ଜାତି ଭୁଲିବ ନାହିଁ"

 ।। ଏ ଜାତି ଭୁଲିବ ନାହିଁ ।।

    *********************

                 କୈଳାସ ଚ଼ନ୍ଦ୍ର ପାଢ଼ୀ।


ଆହେ ଉତ୍କଳର ପ୍ରାଣ-ପ୍ରତିଷ୍ଠାତା

       ଏ ଜାତି ଭୁଲିବ ନାହିଁ,

ଯାବତ ଚ଼ନ୍ଦ୍ରାର୍କେ ଝଟକୁ ଥିବ ସେ

       ସଦା ଅମଳିନ ହୋଇ ।।


ଆହେ ସ୍ବାଭିମାନୀ ପୁରୁଷ ଉତ୍ତମ

       ଜନନୀର ଯୋଗ୍ୟ ସୂତ,

ତ୍ୟାଗ-ତିତିକ୍ଷାରେ ଏ ମାଟିକୁ ତୁମେ

       କରିଥିଲ ପରା ପୂତ ।।


ଜାତି ପ୍ରୀତି ସ୍ବପ୍ନ ଅବିରତ ତୁମ

       ମାନସ ପଟ୍ଟରେ ଥିଲା,

କଥା ଓ କାର୍ଯ୍ୟରେ କିଞ୍ଚିତ ମାତ୍ରକ

       ଫରକ ଯହିଁ ନଥିଲା ।।


ଦେଶ ଓ ଦଶର ଉନ୍ନତି ଚ଼ିନ୍ତାରେ

       ରହିଥିଲ ସବୁବେଳେ,

ଆମେ କିନ୍ତୁ ଆଜି ନିଜ ଉନ୍ନତିର

       ସ୍ବପ୍ନଦେଖୁ ଅବହେଳେ ।।


ଆମେ ସବୁ ଆଜି ଭିନ୍ନ ପଥେ ଚ଼ାଲୁ

       ଦେଶ ଜାତି କଥା ଛାଡି଼,

କଥାରେ ଆମର ବହେ ଅଣଚ଼ାଶୀ

       ଆକାଶକି ପଡ଼େ ଛିଡ଼ି ।।


ଲୋକ ଦେଖାଣିଆ ଭକତିରେ ଆଜି

      ଯାଇଅଛୁ ଆମେ ମଜ୍ଜି,

ତୁମ ଯଶ କିର୍ତ୍ତୀ ନୀତି ଆଦରଶ

      ସବୁତ ଗଲାଣି ହଜି ।।


ନିଜ ଯଶ ନିଜ ପଉରୁଷ କଥା

     ବାନ୍ଧି ଅଛି ହୃଦେ ବସା,

କେଜାଣି କାହିଁକି ଆଜିର ମଣିଷ

      ହେଉଅଛି ଲୋକହସା ।।


ଆଉଥରେ ତୁମେ ଆସ ଏ ମାଟିକୁ

      ମାଆର ଦୁର୍ଦ୍ଦଶା ବେଳେ,

ଆକୁଳ ନୟନେ ଚ଼ାହିଁଅଛି ସେତ

      ଧରିବାକୁ ତାର କୋଳେ।।

       ******************

କୁମାର ପୁର । ଅନନ୍ତ ପୁର।

ବାସୁଦେବ ପୁର। ଭଦ୍ରକ ।

""""""""""""""""""""""""""""""""""""

No comments:

Post a Comment