*ବୋଉକୁ ବିଦାୟୀ ଲୋତକ*
.................................................
ଜଳୁଥିଲା ଦୀପ
ଜୀବନ ପ୍ରଦୀପ
ଦେଖୁ ଦେଖୁ ଗଲା ଲିଭି
ସରିନାହିଁ ତେଲ
ଆସିଲା ବତାସ
ଦୀପଶିଖା ଗଲା ଦବି ।
ଏନ୍ତୁଡି ନିଆଁରେ
ଆସିଥିଲୁ ସିନା
ଜୁଇରେ ଯାଇଛୁ ଫେରି
ଏତେ ଭଲପାଇ
ରହିଛୁ କେମିତି
ଫେରିବା କଲୁଣି ଡେରି ।
ନିଆଁର ଶେଯରେ
ଶୋଇଗଲୁ କିଆଁ
ହୋଇ ପାଟରାଣୀ ବେଶ
ବାଟ ଭାଙ୍ଗି ବୋଉ
ଚାଲିଗଲୁ ସିନା
ରଖିଗଲୁ କେତେ ଯଶ ।
ଆମପାଇଁ ସବୁ
ସହି ଯାଉଥିଲୁ
ବାପାଙ୍କର କଡ଼ା କଥା
ବହି ଯାଉଥିଲା
ଆଖିରୁ ଲୋତକ
ନଇଁଯାଉଥିଲା ମଥା ।
ବିଧାତା ଏମିତି
ନିଆଁର ସବାରୀ
ସଜାଡ଼ିଲା କିଆଁ କହ
ଜଳନ୍ତା ଜୁଇରେ
ଆହୁତି ଢାଳିଲୁ
ତତଲା ରକତ ଲୁହ ।
ଦେଖିପାରୁନୁକି
ସ୍ଵାମୀ ପୁଅ ବୋହୁ
ନାତିନାତୁଣୀଙ୍କ କାନ୍ଦ
ଆଖି ପିଛୁଳାକେ
ହୋଇଗଲୁ କିଆଁ
ଦୂର ଆକାଶର ଚାନ୍ଦ ।
ରାଜ ଉଆସର
ସବୁ ସଜବାଜ
ବୃଥା ହୋଇଗଲା ଆଜି
ନକହି ନପୋଛି
ସରଗ ପୁରକୁ
ଯିବାକୁ ହୋଇଲୁ ରାଜି ।
ପଶୁପକ୍ଷୀ ହୋଇ
ଆସୁଛୁ କାହିଁକି
ଦେଖା ଥରେ ତୋର ମୁହଁ
ପିଲାଙ୍କୁ ଏମିତି
ମୁହଁ ଲୁଚାଉଛୁ
ତୁ ପରା ସେମିତି ନୁହଁ ।
ସୁନାର ସଂସାର
ସଜାଡିଲୁ ଦିନେ
ଚୂନା କରିଦେଲୁ କିଆଁ
ଯେଉଁ ହାତେ ବାସ
ଚନ୍ଦନ ଲେପିଲୁ
ସେ ହାତେ ଜାଳିଲୁ ନିଆଁ ।
ବୋଉ ବୋଉ ବୋଲି
ଯେତେ ଡାକିଲେବି
କେଉଁଠି ଯାଉଛୁ ଲୁଚି
ସାତତାଳ ପାଣି
ସୁନାର ଫରୁଆ
ହାତରୁ ଯାଉଛି ଘୁଞ୍ଚି ।
ଯେଉଁ ପଣତରେ
ମୁହଁ ପୋଛୁଥିଲୁ
ସେ ପଣତ ଗଲା ଜଳି
ଜଉଘର ତାତି
ଯାତନା ନିଆଁର
ଡହକ ଯାଇଛି ବଳି ।
କିଏ ସଜାଡିବ
ସଜ ଖିଲିପାନ
ପଖାଳ ଶୁଖୁଆ ଭଜା
କାହାଲାଗି ବାପା
ଧୋତି ପଞ୍ଜାବୀରେ
ନିଇତି ଦିଶିବେ ରଜା ।
ଘରେ ଥିଲେ ବୋଉ
ଫୁଲ ଫୁଟୁଥିଲା
ଛୁଟି ଯାଉଥିଲା ବାସ
କି ଦୋଷ କରିଲୁ
ଜାଣିଶୁଣି ଆଜି
ଅନଳରେ ଦେଲୁ ଝାସ ।
ନେହୁରା ହେଉଛୁ
ଫେରିଆ ଦେଖିବୁ
କେମିତି କାନ୍ଦୁଛି ଘର
ପୁଅ ଝିଅ ତୋର
ମୁଣ୍ଡ କଚାଡନ୍ତି
ଲାଗୁନାହିଁ ତୋତେ ଡର !
ଫେରିବାକୁ କେଉଁ
ଦିନ ବାଛିଚୁକି
କେଉଁ ତିଥି କେଉଁ ବାର
ତୋ ବାଟକୁ ଚାହିଁ
ଦିନ ଗଣିଗଣି
କାନ୍ଥରେ ଟାଣୁଛୁ ଗାର ।
ଆଖିର ଲୋତକ
ଉପହାର ଦେଲୁ
ତୋଳିନେବୁ ହାତ ଟେକି
ସକଳ ଅନ୍ତରେ
ତୋ ଆଶିଷ ରେଖା
ଥରେ ଖାଲି ଦେବୁ ଲେଖି ।
..................................................
ରଚନା-କବି *ପ୍ରସନ୍ନ* *ମଣ୍ଡଳ*
କୋଟପଲ୍ଲା, ବାଘମାରି, ଖୋର୍ଦ୍ଧା,
No comments:
Post a Comment