Friday, 24 March 2023

ଅଞ୍ଜଳି ଗିରିଙ୍କ କେତୋଟି ଓଡ଼ିଆ କବିତା

 [3/24, 5:12 PM] Odia Poet Anjali Giri: ..ଶ୍ରୀ ରାଧା ମାନିନୀ ...

ରାଗ ..ରସକୁଲ୍ୟା

**********************

ବିପିନେ ବିରାଜି ସେ ଋତୁରାଟ

ବିରହୀ ହୃଦୟ କରେ ଉଚ୍ଚାଟ

ବିଶିଖ ବିନ୍ଧଇ ମଧୁପ ତାନ 

ବିଷାଦେ ଭରିଲା ବିଧୁର ମନ ..ସେ

ବଲ୍ଲୁର ପରାୟ ହିଆ ..ହେ

ବିରାଜ ହେଲେଣି କୁଞ୍ଜେ ଋତୁମଣି

ବରଜ ଗୁମାନ ମାୟା ..ହେ ।।

 

ବାତ ବହେ ମନ୍ଦ ମଳୟାନୀଳ

ବିକଚ ରାଜୀବ ନୀଳ ଉତ୍ପଳ

ବିକଶ ଆନନ୍ଦେ ଚୂତ ମୁକୁଳ

ବିଳାସୀ ମଧୁପ ହୋଇ ବିହ୍ଵଳ..ସେ

 ବିହରଇ ପୁଷ୍ପ ଚୁମି ...ହେ

ବିକର୍ତ୍ତନ କର  ଚହଟି ପ୍ରଖର 

ହେଲେଣି ବାରୁଣୀ ଗାମୀ ..ହେ ।।2।।


ବସନ୍ତ ସୁନ୍ଦରୀ ସେ କାମଦୂତୀ

ବନ ଉପବନେ ପୀୟୂଷ ଭାତି

ବିଶାରଦା ଗୀତି ସଂଗୀତ ରାଣୀ

ବାତୁଳି ପରାୟ ପଞ୍ଚମେ ଜାଣି ..ସେ

  ବିଧୁର ବିମୂଖ ନାଶ ..ହେ

ବିଧୁନିତ କାୟ ବଲ୍ଳରି ପରାୟ

  ବାନ୍ଧିଲା ଅନଙ୍ଗ ଫାସ ..ହେ। ।।4।।


ବାରିଜ ନୟନୀ ବରଜ ମଣୀ

ବାରେ ଦେଖ କୁଞ୍ଜେ ସାରସ ରାଣୀ

ବଲ୍ଲଭ ସଙ୍ଗତେ କାମ କ୍ରୀଡ଼ାରେ

ବାତୁଳ ବିଭୋଳ ସରସୀ ନୀରେ..ସେ

ବିହତ ପରାଣ ମୋର ..ହେ 

ବହନ ତେଜିଣ ମାନିନୀ ତୋ ମାନ

   ବିଜେ ହୁଅ କୁଞ୍ଜ ପୁର ..ହେ ।।


ବଲକ୍ଷ ବସନେ ସାଜି ଗୋ ରାଇ

ବାରିଜ ନୟନେ ଅଞ୍ଜନ ଫେଇ

ବିଅର୍ଥେ ନବିତୁ ଯାମିନି ଆଜ

ବରଜ ଈଶ୍ୱରୀ  କଦନ ହେଜ ...

ବତ୍ସଳା ବାନ୍ଧବୀ ମମ ..ହେ

ବଂଶୀଧାରୀ ଶିରେ ପଦ ଥୋଇ ବାରେ

  ପ୍ରାଣସଖା ଦୋଷ କ୍ଷମ .. ହେ ।।


*****

ଅଞ୍ଜଳି ଗିରି 

ବଲ୍ଲୂର- ଶୁଷ୍କ

କାମଦୂତୀ..କୋଇଲି

ବାରିଜ..ପଦ୍ମ

ବିଶିଖ..ଶର

ବଲ୍ଳରୀ..ଲତା

[3/24, 5:13 PM] Odia Poet Anjali Giri: ଉଷା କାଳ

**************

ଯାମିନୀର ଶେଷେ ଯାମଘୋଷ ଘୋଷେ

    ତେଜ ମୃଦୁଳ  ତଳପ  ,

ସାଗର ଶେଯରେ କ୍ଷିତିଯ ଦେଶରେ

   ଦିଶିଲେ ଅର୍କ ଅଳପ ।।


ବିଭାସା ବିକଶି ବିକର୍ତ୍ତନ ରାଶି

   ନାଶିଲେ ତିମିର ତ୍ରାସ,

କାସାରେ କମଳ  ମଣ୍ଡିଲେ ମଞ୍ଜୁଳ

  ରାତ୍ରି ରୋଷ ହେଲା ହ୍ରାସ ।।


ବାୟସ ଚତୁର  ପ୍ରଭାତ ଡଗର

   ମଣ୍ଡିଣ ବିଟପୀ ଚୂଳ ,

ଭାଷିଲା ସୁଘୋଷ ତେଜି ନିଦ୍ରାଳସ

   ଚିନ୍ତବାରେ ଆଦିମୂଳ ।।


ହେଲେ ଆତଯାତ ମୃଦୁ ମୃଦୁ ବାତ

  ଛୁଇଁ କୁସୁମ କାଞ୍ଚନ,

ଶ୍ୟାମ ଦୁର୍ବାଦଳ ଲଭି ଉଷୋଜଳ

   ମୌକ୍ତିକ ସାଜେ ଶୋଭନ ।।


କିଞ୍ଜଳ ମୁଦିର ହୋଇଲେ ଅଧିର

  ବାତୁଳ ରସ ଲେହନେ ,

ମୁଦିଲା କୁବଳ ସୁଦଳ ସୁଢଳ

  ବିଧୁପ୍ରିୟା ଶୁଷ୍କମନେ ।।


ରାତ୍ରିଚର ଚିତ୍ତ ଭୟ ସଂକୁଳିତ

  ଦେଖି ଅରୁଣ ଉଦୟ,

ଲୁଚି ବୃକ୍ଷ ଡ଼ାଳେ ଅବା ଗର୍ତ୍ତ ବିଳେ

  କାଳ ହେଲେ ଜ୍ୟୋତିର୍ମୟ ।।


ଅଙ୍ଗେ ଅଙ୍ଗେ ଭରି ଉଷସୀ ମାଧୁରୀ

 ଅରୁଣ ରଞ୍ଜିତ ଧରା,

ସଂଚାରି ଉର୍ଜନା ଜଡ଼ରେ ଚେତନା

ଗୁଞ୍ଜରିତା ବସୁନ୍ଧରା ।।


ଅଞ୍ଜଳି ଗିରି ...

***

[ ଯାମଘୋଷ..କୁକୁଡ଼ା

ତଳପ .. ଶଯ୍ୟା

ବିଭାସା ..ଆଲୁଅ ବିକର୍ତ୍ତନ..ସୂର୍ଯ୍ୟ

କାସାର .. ବଡ଼ ପୁଷ୍କରିଣୀ

ବାୟସ.. କୁଆ , ମୋକ୍ତିକ..ମୁକ୍ତା

ବିଟପୀ.. ବୃକ୍ଷ ଉଷୋଜଳ..କାକର

କିଞ୍ଜଳ..ପଦ୍ମ,  ମୁଦିର.. ପ୍ରେମିକ

କୁବଳ.. କଇଁ ,ସୁଦଳ .. ସୁନ୍ଦର ପାଖୁଡା

***   ****  *****

[3/24, 5:15 PM] Odia Poet Anjali Giri: ବଉଳ ଲୋ ...

****************

ଅମୃତର ବେଳ ଥିଲା ଲୋ ବଉଳ

  ତୋ ସାଥେ କଣ୍ଢେଇ ଖେଳ

ନଡ଼ିଆ ଖୋଳରେ ଧୂଳି ରନ୍ଧା ଭାତ

 ଆହା ସେଇ ସ୍ମୃତି ମାଳ ।।


ଅସରାଏ ସ୍ମୃତି ଭିଜେଇ ଗଲା ଲୋ

  ଟାଙ୍ଗର ହୃଦୟ ଭୂଇଁ,

ବତୁରା ମନରେ ଉତୁରି ଉଠୁଛି

   ସୁଖ  ଦୁଃଖ ଖରା ଛାଇ ।।


ଶ୍ରାବଣ ସୁଅରେ କାଗଜର ଡଙ୍ଗା

      ଫଗୁଣର ପ୍ରଜାପତି,

ଚାରି ଆଖି ଦେଖା ଅଜସ୍ର ସପନ

 ନିଦାଘେ ଚନ୍ଦନ ଭାତି ।।


ଜହ୍ନ ଜୋଛନାରେ ଭିଜା କାକରରେ

    ଶିହରା ସନ୍ଧ୍ୟାର କଥା ,

ସଂଜୁଆ ପବନ  ସାଥେ ଦୁଇ ମନ

  ବାଣ୍ଟୁଥିଲେ ହୃଦ ବ୍ୟଥା ।।


ଆମ୍ର କୁଞ୍ଜ ବନେ ବଉଳ ସୁବାସ

   କୋଇଲିର କୁହୁତାନ,

ପୀୟୂଷର ଧାର ବହୁଥିଲା ତହିଁ

   ଛୁଇଁ ଛୁଇଁ ଆମ ମନ ।।


ଭାବନା ଆକାଶେ ଉଡି ଯାଉଥିଲେ

   ମନକୁ ମନରେ ଛନ୍ଦି ,

ଅବ୍ୟକ୍ତ ଆବେଗ ସେନେହ ସରାଗ

   ରଜ୍ଜୁ ଧାରେ ଦେଇ ବାନ୍ଧି ।।


ଅଭୁଲା ସେ ସ୍ମୃତି ଆପଣାର ଅତି

   ସାଇତା ହୃଦୟ କୋଣେ,

ଲୁଚିଗଲା କେଣେ ଦୂର ତାଳ ବଣେ

 ନିଷ୍ଠୁର ସମୟ ଜାଣେ ।।


ବିକଶି ଉଠୁଛି କିଆଁ କେତକୀ ଲୋ

  ଫୁଟୁଛି ପେନ୍ଥା ବଉଳ ,

ନାହିଁ ସେ ସୁବାସ  ଦିଶୁନି ତୋ ହସ

 ବିରସ ଜୀବନ ଖେଳ ।।


ଅଞ୍ଜଳି ଗିରି ..

[3/24, 5:18 PM] Odia Poet Anjali Giri: ଯାହାକୁ ଯିଏ ସୁନ୍ଦର

------------------------------

ତରଙ୍ଗିଣୀ ଶୋହେ ତରଙ୍ଗ ମାଳାରେ

     ପର୍ବତ କୋଳେ ନିର୍ଝର,

ଶ୍ୟାମ ଦୁର୍ବାଦଳ  ଶାଟୀକା ପରାୟ

   ବସୁଧା ଅଙ୍ଗେ ସୁନ୍ଦର ।।


କେଦାରେ କେଦାରେ ପକ୍ଵସଶ୍ୟ ମାଳା

  ପାଦପେ ପଲ୍ଲବ ଶୋଭା,

ସରିତେ ସରୋଜ ପ୍ରଭାତ ମୁରୁଜ

  ପ୍ରକାଶଇ ବର୍ଣ୍ଣ ବିଭା ।।


ସାଗରକୁ ଶୋଭା ନୀଳ ବୀଚିମାଳା

   ସୈକତେ ସୁନ୍ଦର ଶୁକ୍ତି,

ଶାମୁକା ଶୋଭଇ ଧରିଥିଲେ ଅଙ୍କେ

ବିଭାମୟ ଶୁଭ୍ର ମୋତି ।।


ଯାମିନୀ ଗଗନେ କଳାନିଧି ଶୋଭା

     ଚିକିମିକି ତାରାମେଳେ,

ଦିବସେ ଚହଟ ଦିଶେ ରୁଚିମନ୍ତ

  ହରିହୟ ଉଇଁଥିଲେ ।।


ମୁଦିର ସୁନ୍ଦର ଦିଶେ ଶୋଭାକର

      ଉଇଁ ଶକ୍ରସରାସନ,

ବସନ୍ତେ ସୁନ୍ଦର କୁଞ୍ଜେ କଳକଣ୍ଠି

  ଗାଇଲେ ପଞ୍ଚମ ତାନ ।।


ଶ୍ରାବଣେ ସୁନ୍ଦର  ଜଳଦର ଧାର

  ଦୁର୍ବାଦଳେ  ଧୁନ୍ଦୁମାର,

ନାଲି ନାଲି ତାର ଯୁତକ କାନିଟି

  ପ୍ରଭାତେ ଦିଶେ ସୁନ୍ଦର ।।


ବ୍ରତତୀ ଅଙ୍ଗରେ ଶୋହେ ପୁଷ୍ପମାଳ

   ତୃଣ ଅଙ୍ଗେ ସେ ନିହାର,

ପ୍ରକୃତି ମାତାର ମଣ୍ଡଣୀ ସଭିଏଁ

  ଏକୁ ଆରେକ  ସୁନ୍ଦର ।।


ଅଞ୍ଜଳି ଗିରି ..

[3/24, 5:19 PM] Odia Poet Anjali Giri: ତୁମ ସ୍ମୃତି କେବେ ...

*******************

ତୁମ ସ୍ମୃତି କେବେ ନୀଳ ଉର୍ମିମାଳା

  ଛୁଇଁଯାଏ ମନ ତଟ,

ଉଦାସୀ ପ୍ରାଣରେ ଜଗାଇ ଚେତନା

   ସ୍ବପ୍ନ ସାଥେ କରେ ଭେଟ ।।


ସ୍ମୃତି କେବେ ତୁମ ସଂଜୁଆ ଆକାଶେ

      ଚିକମିକ ରୂପା ଜହ୍ନ ,

ତମାମ ରାତିଟା ଆଶାର ଜୋଛନା

  ଭିଯାଏ ନହୁଲି ମନ ।।


ତୁମ ସ୍ମୃତି କେବେ ଭିଜା ଆଷାଢ଼ରେ

  ମାଟି ଚନ୍ଦନର ବାସ୍ନା,

ଅଧିର ବିଭୋର କରେ ଏଇ ମନ

ଭୁଲାଏ ଦଗ୍ଧ ଯାତନା ।।


ତୁମ ସ୍ମୃତି କେବେ ଉଜାଣି ଯମୁନା

ପ୍ରୀତି କୁଞ୍ଜେ ବଂଶୀ ସ୍ଵନ,

ବ୍ୟଥାତୁରା ପ୍ରାଣେ ଭରେ ଉନ୍ମାଦନା

  ନୃତ୍ୟରତା ଏଇ ମନ ।।


କେବେ ତୁମ ସ୍ମୃତି ଫଗୁଣ ମଳୟ

କେବେ ହେମାଳିଆ ବାଆ ,

ଋତୁର ତାଡନା ବିରହ ଯାତନା

  ଘୁଞ୍ଚାଏ ଜୀବନ ଆହା ।।


ସ୍ମୃତି କେବେ ତୁମ  ପଳାସ ପାଖୁଡା

   ରଙ୍ଗୀନ ଅତୀତ କଥା,

ଆଶାର ଦୀପକ ଜଳାଇ ହୃଦୟେ

  ହରୁଥାଇ ଯେତେ ବ୍ୟଥା । 


ସ୍ମୃତି କେବେ ତମେ ଋତୁ ଅଭିସାର

    ବିରହୀ ପ୍ରାଣର ଗୀତି,

ଜୀବନ ପୃଷ୍ଠାରେ  ଦୁଇଟି ଅକ୍ଷର

  ଉଜ୍ଜଳ ସୁରୁଜ ଭାତି ।।


ଅଞ୍ଜଳି ଗିରି ।

No comments:

Post a Comment