Friday 3 March 2023

ଭକ୍ତ ଚରଣ ସାହୁଙ୍କ ଓଡ଼ିଆ କବିତା ଓ ENGLISH TRANSLATION

 ଚିରକାଳ ପାଇଁ ହୃଦରେ ରହେ

#*******************#


ଏମିତି ଦୁଃଖ ମୁଁ ଲୋଡୁଛି କାଳିଆ

ଦେବୁକି ନାହିଁତୁ କହରେ ମତେ ।

ଯେଉଁ ଦୁଃଖ ଆସୁ ସହିଯିବି, ହେଲେ

ସେବେଳରେ ଦେଖୁ ଥିବିରେ ତତେ..।।


ଏମିତି ସୁଖ ମୁଁ ଖୋଜୁଛି କାଳିଆ

କହ ସେ ସୁଖକୁ ଦେବୁକି ନାହିଁ ।

ଯେଉଁ ସୁଖ ଧନେ ଧନୀ ମଣୁଥିବି

କେବଳ ତୋ କଳା ବଦନ ଚାହିଁ..।।


ଏମିତି ଯନ୍ତ୍ରଣା ଭୋଗିବାକୁ ରାଜି

ଦେଏ ମୁଁ ମାଗୁଛି କାଳିଆ ଧନ ।

ଯେଉଁ ଯନ୍ତ୍ରଣାଟା, ତତେ ନ ପାଇଲେ

ବିଚଳିତ ହେଉ ଥିବ ମୋ ମନ ।।


ଏମିତି ବାଟତୁ ଦେଖେଇ ଦେଏରେ

ନେହୁରା ହୋଇ ମୁଁ କହୁଛି ତତେ ।

ଯେଉଁ ବାଟ ବଡ଼ଦାଣ୍ଡ ଛୁଉଁଥିବ

ସେବାଟେ ଚଲାଇ ନେଏରେ ମତେ..।। 


ଏମିତି ଗୀତତୁ ଶୁଣାଇ ଦେଉଥା

କହୁଛି ମୁଁ ତତେ ଯୋଡିକି ହାତ ।

ଯେଉଁ ଗୀତ ମତେ ଶାନ୍ତି ଦେଇ, ପାଦ

ତଳେ ନୋଇଁ ଦେଉଥିବ ମୋ ମାଥ ।।


ଏମିତି କବିତା ପଢେଇ ଦେଏରେ

ବାରବାର କହେ ହେ ଚକା ଆଖି ।

ଯେଉଁ କବିତାକୁ ଶୁଣିଲେ ଥରୁଟେ

ତୋ ପାଖରେ ହୃଦ ଯିବରେ ଲାଖି ।।


ଏମିତି ଜ୍ଞାନ ତୁ ଦେ ମୋ' ଭିତରେ

ଜନମ ବେଳରୁ ମାଗୁଛି ତତେ ।

ଯେଉଁ ଜ୍ଞାନେ ଦିବ୍ୟ ଚେତନା ପାଇଲେ

ଶେଷ ବେଳେ ଦେଖା ଦେବୁରେ ମତେ ।।


ଏମିତି ହୃଦୟ ଶରୀରେ ଯୋଡ଼ିଦେ

କାଳିଆରେ ରାଣ ପକାଇ କହେ ।

ଯେଉଁ ହୃଦୟରେ ତୋଓରି ଭାବନା

ଚିରକାଳ ପାଇଁ ମୋଠାରେ ରହେ ।। ଭକ୍ତ ।।

 ଭକ୍ତି ଗୀତ-

ସବୁତ ସୁନ୍ଦର ଲାଗେ

#*************#


ଏତେ ବଡ ଏଇ

ଦୁନିଆଁକୁ ପ୍ରଭୁ

ଗଢ଼ିଦେଲ କେଉଁ ବାଗେ ।

ତୁମ ହାତ ଗଢ଼ା

ଯାହା ମୁଁ ଦେଖୁଛି

ସବୁତ ସୁନ୍ଦର ଲାଗେ ।। (୦)


ଆକାଶ ସୁନ୍ଦର

ତାରା ବି ସୁନ୍ଦର

ଆହୁରି ସୁନ୍ଦର ଜହ୍ନ ।

ଗଛ ବି ସୁନ୍ଦର

ଫୁଲ ବି ସୁନ୍ଦର

ସୁନ୍ଦର ସରଳ ମନ ।।

ସୁନ୍ଦର ଲାଗେ

ଇନ୍ଦ୍ରଧନୁଟି

ଝଟକିଲେ ସାତ ରଙ୍ଗେ....

ତୁମ ହାତ ଗଢ଼ା

ଯାହା ମୁଁ ଦେଖୁଛି

ସବୁତ ସୁନ୍ଦର ଲାଗେ ।। (୧)


ସାଗର ସୁନ୍ଦର

ଲହଡି ସୁନ୍ଦର

ସୁନ୍ଦର ତା ବେଳାଭୂମି ।

ପାହାଡ଼ ସୁନ୍ଦର

ଝରଣା ସୁନ୍ଦର

ମାଟିକୁ ଯାଉଛି ଚୁମି ।।

ନଈ ବି ସୁନ୍ଦର

ପଠା ବି ସୁନ୍ଦର

ଦେଖାଯାଏ ସବୁ ପାଗେ....

ତୁମ ହାତ ଗଢ଼ା

ଯାହା ମୁଁ ଦେଖୁଛି

ସବୁତ ସୁନ୍ଦର ଲାଗେ (୨)


ସକାଳ ସୂରୁଜ

କେତେଯେ ସୁନ୍ଦର

ପୂରୁବ ଦିଗରୁ ଉଏଁ ।

ମେଘ ବି ସୁନ୍ଦର

ବିଜୁଳି ସୁନ୍ଦର

ସବୁରି ହୃଦକୁ ଛୁଏଁ ।।

ତୁମ ନାମେ ଲେଖା

ଭଜନ ସୁନ୍ଦର

ଯିଏ ଗାଉ ଯେଉଁ ରାଗେ....

ତୁମ ହାତ ଗଢ଼ା

ଯାହା ମୁଁ ଦେଖୁଛି

ସବୁତ ସୁନ୍ଦର ଲାଗେ (୩)


ପକ୍ଷୀ ବି ସୁନ୍ଦର

ପ୍ରାଣୀ ବି ସୁନ୍ଦର

ବଣ ବି ସୁନ୍ଦର ଦିଶେ ।

ପରଜାପତିଟି

କେତେଯେ ସୁନ୍ଦର

ଉଡୁଛି ସୁନ୍ଦର ବେଶେ ।।

ତୁମ ଚକାଆଖି

କେତେଯେ ସୁନ୍ଦର

ଦେଖିଲେ ଭକତି ଜାଗେ....

ତୁମ ହାତ ଗଢ଼ା

ଯାହା ମୁଁ ଦେଖୁଛି

ସବୁତ ସୁନ୍ଦର ଲାଗେ (୪)


ଭକ୍ତ ଚରଣ ସାହୁ

୯୪୩୭୨୭୬୬୩୩


ଗରିବ ରାସ୍ତାରେ କଣ୍ଟା

#**************#


ଗରିବଙ୍କ ପାଇଁ

ଦୁଃଖ ଏଠି ଶସ୍ତା

ମହରଗ ଭାରି ସୁଖ ।

ଧନୀର ଜୀବନ

ଆନନ୍ଦରେ ବିତେ

ଗରିବ ଭୋଗୁଛି ଦୁଃଖ ।।

ତା' ପାଇଁ ଯାତନା ବଣ୍ଟା ।

ଧନୀର ରାସ୍ତାଟି

ଭାରି ପରିଷ୍କାର

ଗରିବ ରାସ୍ତାରେ କଣ୍ଟା


ଭଳି ଭଳି ଦାମୀ

ପୋଷାକ ପିନ୍ଧିକି

ଧନୀ ମାରେ ଏଠି ଡିଆଁ ।

ବସ୍ତ୍ର ଅଭାବରୁ

ଗରିବ ଦେହରେ

ଥାଏ ଲୁଗା ସାତସିଆଁ ।।

ଏମିତି କାହିଁକି କୁହ ।

ଧନୀର ଆଖିରେ

ଆଖିଏ ସପନ

ଗରିବ ଆଖିରେ ଲୁହ ।।ଭକ୍ତ।।

No comments:

Post a Comment